ନୂଆଦିଲ୍ଲୀ:ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଗିରଫଦାରୀ ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି । ରାଉତଙ୍କ ଗିରଫଦାରୀ ନେଇ ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖାଡ୍ଗେ । ଖାଡ୍ଗେ କହିଛନ୍ତି, ବିଜେପି ବିରୋଧୀ ମୁକ୍ତ ସଂସଦ କରିବାକୁ ଚାହୁଁଛି । ସଞ୍ଜୟ ରାଉତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ମୂଳକ ବୋଲି ଖାଡ୍ଗେ କହିଛନ୍ତି ।
ଖାଡ୍ଗେ କହିଛନ୍ତି,‘‘ ଆମେ ସଂସଦରେ ବଜେପି ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛୁ । ଆମେ ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତି, ବିଜେପି ଶାସନାଧୀନ ଗୁଜୁରାଟରେ ମଦମୃତ୍ୟୁ ଓ ଝାଡଖଣ୍ଡରେ ସେମାନେ ହେମନ୍ତ ସୋରେନ ସରକାର ଭାଙ୍ଗିବା ପାଇଁ ଜାରି ରଖିଥିବା ଅପରେସନ କିଚଡ ସମ୍ପର୍କରେ ପ୍ରଶ୍ନ କରିବାକୁ ପ୍ରସ୍ତୁତ ଅଛୁ ।’’ ପୂର୍ବରୁ ମଧ୍ୟ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ଦଳ ସରକାର ଦରଦାମ ବୃଦ୍ଧି ଓ ଜିଏସଟି ବୃଦ୍ଧି ଉପରେ ଚର୍ଚ୍ଚା କରିବା ପାଇଁ ଅଡି ବସିଥିଲେ । ନାରାବାଜୀ ଓ ହଟ୍ଟଗୋଳ ପାଇଁ ବିଭିନ୍ନ ବିରୋଧୀ ଦଳର କିଛି ସାଂସଦ ସମ୍ପୂର୍ଣ୍ଣ ଅଧିବେଶନରୁ ଓ ଅନ୍ୟ କିଛି ସାମୟିକ ଭାବେ ନିଲମ୍ବିତ ମଧ୍ୟ ହୋଇଛନ୍ତି ।