ନୂଆଦିଲ୍ଲୀ:ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଥିବା ‘ଅପରେସନ କେବେରୀ’ରେ ଆଜି ଦିଲ୍ଲୀ ଫେରିଛନ୍ତି ଆଉ 40 ଭାରତୀୟ । ଆଜି (ରବିବାର) ଏହି ନାଗରିକଙ୍କୁ ସାଉଦି ଆରବିଆର ହିଦାହ ବିମାନ ବନ୍ଦରରୁ ଭାରତୀୟ ବାୟୁସେନାର ସି-130-ଜେ ବିମାନରେ ଅଣାଯାଇଛି । ଆଜି ସ୍ବଦେଶ ଫେରିବାକୁ ଥିବା ବିମାନ ଅପରେନସନର ଅଷ୍ଟମ ବିମାନ ହୋଇଥିବା ବେଳେ ଏବେ ସୁଦ୍ଧା ପ୍ରାୟ ଅଢେଇ ହଜାର ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାରିଲାଣି । ଆଜି ସକାଳେ ଏକ ବିମାନ 299 ଭାରତୀୟଙ୍କୁ ଧରି ବେଙ୍ଗାଲୁରୁରେ ଅବତରଣ କରିଥିଲା ।
ପ୍ରାୟ 3 ହଜାର ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ସୁଦାନରୁ ସୁରକ୍ଷିତ ଉଦ୍ଧାର କରାଯିବା ଲକ୍ଷ୍ୟରେ ଏହି ହ୍ୟୁମାନ ଇଭାକ୍ୟୁଏସନ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ଭାରତୀୟ ନୌସେନା ଓ ବାୟୁସେନା ସମେତ କିଛି ଘରୋଇ ଏୟାର ଲାଇନ୍ସ ମଧ୍ୟ ସାମିଲ ହୋଇଛନ୍ତି । ଏହି ଆହ୍ବାନପୂର୍ଣ୍ଣ ଅପରେସନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଏବେ ସୁଦ୍ଧା ସ୍ବଦେଶ ଫେରିବାକୁ ଥିବା ଅବଶିଷ୍ଟ ପ୍ରାୟ 5ଶହ ଭାରତୀୟଙ୍କୁ ଫେରାଇ ଅଣାଯିବା ପରେ ଏହି ଅପରେସନକୁ ବନ୍ଦ କରାଯାଇପାରେ ।
ବିଦେଶ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ସୁଦାନରେ ପ୍ରାୟ 3 ହଜାର ଭାରତୀୟ ଫସି ରହିଥିବା ଦୂତାବାସ ପକ୍ଷରୁ ସୂଚନା ମିଳିଥିଲା । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ‘ଅପରେସନ କାବେରୀ’ । ବୋମା ବର୍ଷଣ କାରଣରୁ ସୁଦାନର ଏୟାରସ୍ପେସ୍କୁ ବନ୍ଦ ରଖାଯାଇଛି । ସମସ୍ତ ବିମାନବନ୍ଦର ବନ୍ଦ ରଖାଯିବା ସହ ଦେଶରେ ଫ୍ଲାଇଟ ଅପରେସନ ମଧ୍ୟ ବନ୍ଦ ରଖାଯାଇଛି ।