ଶ୍ରୀନଗର:କାଶ୍ମୀରର ରଜୌରୀରେ ଆଜି ଆତଙ୍କୀ ବିରୋଧୀ ଅପରେସନ ବେଳେ ଏନକାଉଣ୍ଟରେ ଜଣେ ଆତଙ୍କୀ ନିପାତ ହୋଇଛି । ଏହି ଅପରେସନରେ ସୁରକ୍ଷାବଳର 3 ଯବାନ ମଧ୍ୟ ଆହତ ହୋଇଛନ୍ତି । ସେହିପରି ଅପରେସନରେ ସାମିଲ ଥିବା ସେନାର ଏକ କୁକୁର ମଧ୍ୟ ଆଖି ବୁଜିଛି । ଆଜି (ମଙ୍ଗଳବାର) ଅପରାହ୍ନରେ ସେନା ଓ ଏସଓଜି ଦ୍ବାରା ଏହି ମିଳିତ ଅପରେସନ ହୋଇଥିଲା । ଏଥିରେ ଅନ୍ୟ କିଛି ଆତଙ୍କୀ ଖସି ପଳାଇଥିବା ମଧ୍ୟ ଅନୁମାନ କରାଯାଉଛି । ଉକ୍ତ ଏରିଆକୁ କର୍ଡନ କରାଯାଇ ଅଧିକ ଫୋର୍ସ ମୁତୟନ କରାଯାଇଛି ।
ଜମ୍ମୁ ଜୋନ ADGP ମୁକେଶ ସିଂଙ୍କ ସୂଚନା ଅନୁସାରେ, ରଜୌରୀର ନର୍ଲା ଗ୍ରାମ ଆଖପାଖରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଏହି ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କୀମାନେ ସୁରକ୍ଷାବଳ ଉପରେ ଆକ୍ରମଣ କରିବା ପରେ ସେନା ମଧ୍ୟ ପାଲଟା ଜବାବ ଦେଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି । ଅନ୍ୟ କିଛି ଆତଙ୍କୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ନିକଟବର୍ତ୍ତୀ ସ୍ଥାନରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଧିକ ଫୋର୍ସ ପହଞ୍ଚିଛନ୍ତି । ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡା ଠାବ କରିବା ପାଇଁ ଆର୍ମିର ଏକ କୁକୁର ମଧ୍ୟ ଅପରେସନରେ ନିୟୋଜିତ ହୋଇଥିଲା । ଏହି ଏନକାଉଣ୍ଟରରେ ତାର ମଧ୍ୟ ମୃତ୍ୟୁ ହୋଇଛି । ସେନାର ଏହି ପ୍ରଶିକ୍ଷିତ କୁରୁରଟି 21- ଆର୍ମି ଡଗ ୟୁନିଟରେ କାର୍ଯ୍ୟରତ ଏକ ମାଈ ଲାବ୍ରଡୋର ପ୍ରଜାତିର ଥିଲା । ସେହିପରି ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।