ଇମ୍ଫାଲ:ମଣିପୁର ବିଷ୍ଣୁପୁର ଜିଲ୍ଲାରେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ପରସ୍ପର ଉପରେ ଗୁଳିମାଡ କରିଛନ୍ତି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଜି ପୂର୍ବାହ୍ନରେ ଏହି ସଂଘର୍ଷ ଘଟିଛି । ବ୍ୟାପକ ସୁରକ୍ଷା ବଳ ମୁତୟନ ସତ୍ତ୍ବେ ମଧ୍ୟ ପୁଣି ସଂଘର୍ଷ ଦେଖାଯାଇଛି । କିଛି ଦିନର ନୀରବତା ଭାଙ୍ଗି ଆଜି ପୁଣି ଏକ ହିଂସାଜନିତ ମୃତ୍ୟୁ ସମ୍ନାକୁ ଆସିଛି । ଘଟଣାସ୍ଥଳରେ ଫୋର୍ସ ମୁତୟନକୁ ବୃଦ୍ଧି କରାଯାଇଛି ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତି ହିଂସାରେ ପ୍ରଭାବିତ ହୋଇ ସରକାରୀ ରିଲିଫ କ୍ୟାମ୍ପରେ ରହୁଥିଲେ । ତେବେ ସେ ହିଂସା ପ୍ରଶମିତ ପାଇଁ ସ୍ଥାନୀୟ ପ୍ରଶାସନ ଗଠନ କରିଥିବା ଗ୍ରାମସ୍ତରୀୟ କମିଟିରେ ସ୍ବଚ୍ଛାସେବୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ଆଜି ଏକ ଦଙ୍ଗାକାରୀ ଗୋଷ୍ଠୀ ଏହି ରିଲିଫ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଗୁଳିମାଡ କରିବା ସହ ବିସ୍ଫୋରଣ ମଧ୍ୟ କରିଥିଲେ । ଏଥିରେ ଏହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣଙ୍କ କାନ୍ଧରେ ଗୁଳି ବାଜିଛି । ତାଙ୍କୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଅନ୍ୟପଟେ ଭିନ୍ନ ଭିନ୍ନ ଅପରେସନରେ ପୃଥକ ସ୍ଥାନରୁ 4ଜଣ ଉଗ୍ରବାଦୀଙ୍କୁ ମଧ୍ଯ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ବିପୁଳ ବିସ୍ଫୋରକ ଜବତ କରାଯାଇଛି ।
ରବିବାର ମଧ୍ୟ ଇମ୍ଫାଲ ଇଷ୍ଟ ଜିଲ୍ଲାରେ ହିଂସା ଦେଖିବାକୁ ମିଳିଥିଲା । ଅପରାହ୍ନରେ ନ୍ୟୁ-ଲମ୍ବୁଲାନ୍ସରେ ଦଙ୍ଗାକାରୀଙ୍କ ଏକ ଗୋଷ୍ଠୀ ପ୍ରାୟ 5ଟି ଘରେ ନିଆଁ ଲଗାଇ ଦେଇଥିଲେ । କେହି ମୃତାହତ ହୋଇଥିବାର ସୂଚନା ମିଳିଥିଲା । ଏବେ ରାଜଧାନୀ ଇମ୍ଫାଲ ଓ ସଂଲଗ୍ନ ଭ୍ୟାଲି ଅଞ୍ଚଳର ବିଭିନ୍ନ ଏଣ୍ଟ୍ରିଂ ପଏଣ୍ଟରେ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ତେଣୁ ଏହି ଦଙ୍ଗାକାରୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ରବିବାର ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲେ ସୁଦ୍ଧ ଆଜି ବିଷ୍ଣୁପୁର ଅଞ୍ଚଳରେ ହିଂସାରେ ଜଣଙ୍କ ଜୀବନ ଯାଇଛି ।