ରାୟପୁର: ଆଜି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ଭୋଟିଂରେ ଏକାଧିକ ସ୍ଥାନରେ ନକ୍ସଲ ହିଂସା ଦେଖିବାକୁ ମିଳିଛି । ଏକାଧିକ ସ୍ଥାନରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟରରେ ଏକାଧିକ ନକ୍ସଲ ନିପାତ ମଧ୍ୟ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ଏହି ଆକ୍ରମଣକୁ କଂଗ୍ରେସ ଶାସନର ବିଫଳତା କହି ନିର୍ବାଚନୀ ମୁଦ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 17 ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର କରିବା ବେଳେ ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିବା ସହ ହିଂସା ହ୍ରାସ କରିବା ପାଇଁ କଂଗ୍ରେସକୁ ଶାସନରୁ ହଟଇବା ଜରୁରୀ ବୋଲି କହିଛନ୍ତି ।
ଆଜି (ମଙ୍ଗଳାବର) ଛତିଶଗଡର ସୁରଗୁଜାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘କଂଗ୍ରେସ ଯେବେ ଯେବେ କ୍ଷମତକୁ ଆସେ, ଆତଙ୍କବାଦୀ ଓ ନକ୍ସଲମାନେ ଉତ୍ସାହିତ ହୋଇପଡନ୍ତି । ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳେ । କଂଗ୍ରେସ ଯେଉଁ ରାଜ୍ୟରେ ଶାସନରେ ରହେ, ସେଠାରେ ଅପରାଧ, ଲୁଟପାଟ ମଧ୍ୟ ବୃଦ୍ଧି ପାଏ । ଦେଶରେ କଂଗ୍ରେସ ଶାସନ ସମୟରେ ନକ୍ସଲ ଦମନ କ୍ଷେତ୍ରରେ ଏହା ଏକ ବଡ ବିଫଳତା । ନକ୍ସଲମାନେ ନିକଟରେ ଏକାଧିକ ବିଜେପି ନେତାଙ୍କୁ ମଧ୍ୟ ହତ୍ୟା କରିଛନ୍ତି । କିଛି ଦିନ ପୂର୍ବରୁ ଜଣେ ବିଜେପି ନେତାଙ୍କୁ ହତ୍ୟା ମଧ୍ୟ କରାଯାଇଛି । ଯଦି କଂଗ୍ରେସ ଶାସନରେ କେହି ସୁରକ୍ଷିତ ନୁହନ୍ତି, ତେବେ କଂଗ୍ରେସକୁ କ୍ଷମତାରୁ ହଟାଯିବା ଉଚିତ ।" ସେହିପରି ସେ ମହାଦେବ ବେଟିଂ ଆପ ଘୋଟାଲା ପ୍ରସଙ୍ଗ ଉଠାଇ ମଧ୍ୟ ବଘେଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସେହିପରି ମୋଦି କହିଛନ୍ତି, ‘‘କଂଗ୍ରେସ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପାଇଁ ଚାହୁଁନଥିଲା । ଜଣେ ଆଦିବାସୀ ପୃଷ୍ଠଭୂମିର ମହିଳା ଦେଶର ରାଷ୍ଟ୍ରପତି ହୁଅନ୍ତୁ ବୋଲି କଂଗ୍ରେସ ଚାହୁଁନଥିଲା । ସେମାନେ ରାସ୍ତା ରୋକିବା ପାଇଁ ପ୍ରୟାସ କରିଥିଲେ । କେହି ଭାବିନଥିଲେ ଆଦିବାଦୀ ସମ୍ପ୍ରଦାୟର ଜଣେ ମହିଳା ଦେଶର ରାଷ୍ଟ୍ରପତି ହେବେ । ମାତ୍ର ଭାରତୀୟ ଜନତା ପାର୍ଟି ମୁର୍ମୁଙ୍କୁ ସଠିକ ସମ୍ମାନର ସହ ତାଙ୍କୁ ଉଚିତ ସ୍ଥାନରେ ଅବସ୍ଥାପିତ କରିଛି । କଂଗ୍ରେସ କେନ୍ଦ୍ରରେ ଶାସନରେ ଥିବା ଆଦିବାସୀଙ୍କ ଅର୍ଥ ମଞ୍ଜୁର କରିବା ଅର୍ଥ ଅପବ୍ୟୟ ବୋଲି ଭାବୁଥିବା ନେଇ ମୋଦି କହିଛନ୍ତି ।’’