ନୂଆଦିଲ୍ଲୀ:Omicron ଭ୍ୟାରିଏଣ୍ଟ ନେଇ ସାରା ଦେଶରେ ହାଇଆଲର୍ଟ ସୃଷ୍ଟି ହୋଇଥିବାବେଳେ ଏବେ ବିଦେଶାଗତଙ୍କ ଉପରେ ଦୃଷ୍ଟି ନେଇ ସବୁଠି ତତ୍ପରତା ପ୍ରକାଶ ପାଇଛି । ଏହି କ୍ରମରେ ବିମାନ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ଆଜି ଏହି ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।
ମନ୍ତ୍ରଣାଳୟର ବିଭିନ୍ନ ଅଧିକାରୀ ଓ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (AII) ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲା ପରେ ମନ୍ତ୍ରୀ ସିନ୍ଧିଆ କହିଛନ୍ତି, ଯେ ବର୍ତ୍ତମାନ ସ୍ଥିତିରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ବିମାନ ବନ୍ଦରରେ ଭିଡ଼ ନିୟନ୍ତ୍ରଣ, ଯାତ୍ରୀଙ୍କ ନିରୀକ୍ଷଣ କ୍ଷମତା ଏବଂ ସ୍ଥିତି ଉପରେ ଦୃଷ୍ଟି ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ବିମାନ ବନ୍ଦରକୁ ଆକ୍ସନ୍ ପ୍ଲାନ୍ ଜାରି କରିଛି ମନ୍ତ୍ରଣାଳୟ । ସେ ଆହୁରି ମଧ୍ୟ କହିଛନ୍ତି, ବିମାନ ମନ୍ତ୍ରଣାଳୟ ପ୍ରତିଦିନ ପରିସ୍ଥିତି ଉପରେ ନଜର ରଖିଛି ଏବଂ ଯାତ୍ରୀମାନେ ବିମାନବନ୍ଦରରେ କୈଣସି ଅସୁବିଧାର ସମ୍ମୁଖୀନ ଯେପରି ନହେବେ ସେ ନେଇ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଥିବା ନେଇ ସେ ନିଶ୍ଚିତ ରହିବାକୁ କହିଛନ୍ତି ।