ଓଡିଶା

odisha

Old Parliament House: ଦେଶର ସଂଘର୍ଷଠୁ ବିକାଶର ଯାତ୍ରା, ମୁକସାକ୍ଷୀ ଭାବେ ଦଣ୍ଡାୟମାନ ପୁରୁଣା ସଂସଦ ଭବନ

ମେ ୨୮ ତାରିଖର ସୂର୍ଯ୍ୟୋଦୟ ସାଙ୍ଗକୁ ଐତିହାସିକ ସଂସଦ ଭବନ ଇତିହାସ ପାଲଟିବ । ପୁରୁଣା ସଂସଦ ଭବନର କାନ୍ଥରେ ବର୍ଣ୍ଣିତ କାଳଜୟୀ ଗାଥା ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କ କାହାଣୀ ବଖାଣିବ । ପର୍ଯ୍ୟଟକମାନେ ଭବନର କରିଡର ବୁଲି ଏହାର ଇତିହାସ ପଢି ମନରେ ଶକ୍ତି ଭରିବେ । ଦେଶର ସଂଘର୍ଷଠୁ ଆରମ୍ଭ କରି ବିକାଶ ଯାତ୍ରା ପର୍ଯ୍ୟନ୍ତ ପ୍ରାୟ ୧୦୦ବର୍ଷ ଗଣତନ୍ତ୍ରର ପ୍ରତୀକ ହୋଇ ଦଣ୍ଡାୟମାନ ହୋଇ ରହିବ । ପଢନ୍ତୁ ପୁରୁଣା ସଂସଦ ଭବନକୁ ନେଇ ଇଟିଭି ଭାରତର ଏହି ସ୍ବତନ୍ତ୍ର ଉପସ୍ଥାପନା...

By

Published : May 28, 2023, 6:01 AM IST

Published : May 28, 2023, 6:01 AM IST

Old Parliament House
Old Parliament House

ହାଇଦ୍ରାବାଦ: ଯଦି ପରିବର୍ତ୍ତନ ସ୍ଥିର ହୁଏ, ତେବେ ପୁରୁଣା ସଂସଦ ଭବନ ପାଲଟିବ ଏହାର ମୁକ ସାକ୍ଷୀ । ଦେଶର ବିଭାଜନଠୁ ଆରମ୍ଭ କରି ଏକାଧିକ ସାମ୍ପ୍ରଦାୟିକ ଦଙ୍ଗା, କାଳଜୟୀ ଆଇନ, ବାଦବିବାଦକୁ ନେଇ ବିଶ୍ବର ପଞ୍ଚମ ସର୍ବବୃହତ ଅର୍ଥନୀତି ପର୍ଯ୍ୟନ୍ତ ୯୬ବର୍ଷର ଲମ୍ବା ଇତିହାସକୁ ଦେଖିଛି । ଏକଦା ବ୍ରିଟିଶ ଶାସିତ ରାଷ୍ଟ୍ର ଆଜି ଆତ୍ମନିର୍ଭର ହୋଇ ବିଶ୍ବରେ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଛି । ୧୯୪୭ ଅଗଷ୍ଟ ୧୫ ତାରିଖ ମଧ୍ୟରାତ୍ରରୁ ସେଣ୍ଟ୍ରାଲ ହଲ୍‌ରୁ ଆରମ୍ଭ ହୋଇଥିବା 'ଦ ଟ୍ରିଷ୍ଟ ଅଫ ଡେଷ୍ଟିନି' ଏବେ ସଭିଙ୍କଠୁ ବିଦାୟ ନେବାକୁ ଯାଉଛି । ଆସନ୍ତାକାଲି ନୂଆ ସଂସଦ ଭବନର ଉଦଘାଟନ ସହିତ ଭାରତରେ ନୂଆ ଇତିହାସ ସୃଷ୍ଟି ହେବାକୁ ଥିବା ବେଳେ ପୁରୁଣା ସଂସଦ ଭବନ ବିଧିବଦ୍ଧ ଭାବେ ପୁରୁଣା ସ୍ମୃତିକୁ ସାଉଁଟି ଦେଶବାସୀଙ୍କଠୁ ନେବାକୁ ଯାଉଛି ବିଦାୟ ।

ପୁରୁଣା ସଂସଦ ଭବନ

ମେ ୨୮ ତାରିଖର ସୂର୍ଯ୍ୟୋଦୟ ସାଙ୍ଗକୁ ଐତିହାସିକ ସଂସଦ ଭବନ ଇତିହାସ ପାଲଟିବ । ଦେଶର ସଂଘର୍ଷଠୁ ଆରମ୍ଭ କରି ବିକାଶ ଯାତ୍ରା ପର୍ଯ୍ୟନ୍ତ ପ୍ରାୟ ୧୦୦ବର୍ଷ ଗଣତନ୍ତ୍ରର ପ୍ରତୀକ ହୋଇ ଦଣ୍ଡାୟମାନ ହୋଇ ରହିବ । ଯେଉଁଠାରୁ ଭାରତ ଏକ ନୂତନ ରାଷ୍ଟ୍ରର ମାନ୍ୟତା ପାଇଥିଲା, ଯେଉଁଠାରୁ କାଳଜୟୀ ଆଇନ ପ୍ରଣୟନ ହୋଇଥିଲା ସେହି ଗଣତନ୍ତ୍ରର ମନ୍ଦିର ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣାର ନୀରବ ପର୍ଯ୍ୟବେକ୍ଷକ ସାଜିବ । ୬ ଏକର ଜମିରେ ପର୍ଯ୍ୟବେଶିତ ଏହି ପୁରୁଣା ସଂସଦ ଭବନରୁ ହିଁ ଭାରତର ସମ୍ବିଧାନ ପ୍ରଣୟନ ହୋଇଥିବାରୁ ଏହି ହଲ୍‌ର ବେଶ ଗୁରୁତ୍ବ ବହନ କରୁଛି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରୁ ଭାରତର ସମ୍ବିଧାନ ଲାଗୁ ହୋଇଥିଲା । ଏହାପରେ ୧୯୫୧-୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ପରେ ୧୯୫୨ ଏପ୍ରିଲରେ ପ୍ରଥମ ନିର୍ବାଚିତ ସଂସଦ ସୃଷ୍ଟି ହୋଇଥିଲା ।

ଏହା ବି ପଢନ୍ତୁ- Future of Old Parliament: ୯୬ବର୍ଷର ଇତିହାସ, ବ୍ରିଟିଶ ନିର୍ମିତ ପୁରୁଣା ସଂସଦର କଣ ହେବ ଭବିଷ୍ୟତ ?

ସଂସଦ ମାର୍ଗରେ ସ୍ଥିତ ଏହି କୋଠାକୁ ସଂସଦ ଭବନ ବୋଲି ମଧ୍ୟ କୁହାଯାଏ । ଏହା ମଧ୍ୟରେ ସଂସଦର ଉଭୟ ସଦନ ରାଜ୍ୟସଭା, ଲୋକସଭା ସମେତ ଲାଇବ୍ରେରୀ ହଲ ମଧ୍ୟ ରହିଛି । ଏହି ୩ଟି ଚାମ୍ବର ମଧ୍ୟରେ ସୁନ୍ଦର ବଗିଚା ମଧ୍ୟ ରହିଛି । ଏହା ମଧ୍ୟରେ ଲୋକସଭା ଓ ରାଜ୍ୟସଭାର ମନ୍ତ୍ରୀମାନଙ୍କ ସମେତ ଅଧ୍ୟକ୍ଷ ଏବଂ ସଂସଦୀୟ କମିଟିର ରହଣି ଲାଗି ବିଲ୍ଡିଂ ମଧ୍ୟ ରହିଛି । ଗତ ୧୯୫୬ ମସିହାରେ ଏହା ମଧ୍ୟରେ ୨ଟି ନୂଆ ଫ୍ଲୋରର ନିର୍ମାଣ ହୋଇଥିବା ବେଳେ ଏହାର ସମ୍ପ୍ରସାରଣ କରାଯାଇଥିଲା । ଭାରତର ଗଣତାନ୍ତ୍ରିକ ଐତିହ୍ୟ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ଲାଗି ୨୦୦୬ ମସିହାରେ ଏହା ମଧ୍ୟରେ ଏକ ମ୍ୟୁଜିଅମର ମଧ୍ୟ ନିର୍ମାଣ ହୋଇଥିଲା । ଏହି ମ୍ୟୁଜିଅମ ମଧ୍ୟରେ ଲାଗିଥିବା କମ୍ପ୍ୟୁଟର ଡିସପ୍ଲେ, ସାଉଣ୍ଡ ଲାଇଟ ମାଧ୍ୟମରେ ଭାରତର ସମୃଦ୍ଧ ଗଣତାନ୍ତ୍ରିକ ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ ।

ଏହି ଐତିହାସିକ ଭବନର କରିଡରଗୁଡ଼ିକ ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କ ସମ୍ପର୍କରେ ବର୍ଣ୍ଣିତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଜର ସ୍ବଳ୍ପ କାର୍ଯ୍ୟକାଳ ମଧ୍ୟରେ ଦେଶର କଲ୍ୟାଣ ଲାଗି କାର୍ଯ୍ୟ କରିଥିଲେ । ଏହା ମାଧ୍ୟମରେ ସେ କିପରି ଏକ ଅବିସ୍ମରଣୀୟ ଛାପ ଛାଡ଼ିଥିଲେ ତାହା ଉଲ୍ଲେଖ ରହିଛି । ଏହା ଭାରତୀୟ ଲୋକଙ୍କ ଆତ୍ମାର ଏକ ପ୍ରମାଣ ଭାବରେ ଛିଡା ହୋଇଛି, ଯେଉଁଠାରେ ଦେଶର ସ୍ବାଧୀନତା ପାଇଁ ବଡ଼ ବଡ଼ ନେତା ନିରନ୍ତର ସଂଗ୍ରାମ କରିଥିଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ 'ଟ୍ରିଷ୍ଟ ୱିଥ ଡେଷ୍ଟିନି' ଭାଷଣର ପ୍ରେରଣାଦାୟକ ଶବ୍ଦଠାରୁ ଆରମ୍ଭ କରି ୧୯୬୨ ସିନୋ-ଭାରତୀୟ ବିବାଦ ପର୍ଯ୍ୟନ୍ତ ସଂସଦ ଭବନର କାନ୍ଥଗୁଡ଼ିକ ରାଷ୍ଟ୍ରର ଭାବନା ଏବଂ ଆକାଂକ୍ଷାକୁ ଜାବୁଡି ଧରିଛି ।

ଏହି ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୨ ମସିହାରେ ବାଂଲାଦେଶକୁ ସ୍ବତନ୍ତ୍ର ଦେଶ ଭାବେ ଘୋଷଣା କରିଥିଲେ । ଏହି କୋଠାରୁ ପି ଭି ନରସିଂହ ରାଓଙ୍କ ୧୯୯୧ ମସିହାରେ ଖୋଲା ବଜାର ଅର୍ଥନୀତି ଘୋଷଣା ଭାରତକୁ ଏକ ବିଶ୍ବ ଅର୍ଥନୈତିକରେ ପରିଣତ କରିବା ଲାଗି ପ୍ରାଥମିକତା ଦେଇଥିଲା । ପ୍ରାୟ ୧୬ ବର୍ଷ ପରେ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଂସଦର ଐତିହାସିକ କେନ୍ଦ୍ରୀୟ ହଲରୁ ଭାରତର ସବୁଠୁ ବଡ ଟିକସ ସଂସ୍କାର ଆରମ୍ଭ କରିଥିଲେ। ଏହା ବ୍ୟତୀତ ସଂସଦର ଇତିହାସରେ କିଛି ଏପରି ଏପିସୋଡ ରହିଛି ଯାହାକୁ ଦେଶବାସୀ ନିଜ ମାନସପଟରୁ ଲିଭାଇବାକୁ ଚାହିଁବେ । ଯେପରିକି ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଭାରତରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ।

ସମ୍ବିଧାନର ଧାରା ୩୫୨ ଅନୁଯାୟୀ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରାମର୍ଶ ଅନୁଯାୟୀ ପ୍ରଚଳିତ 'ଆଭ୍ୟନ୍ତରୀଣ ବିଶୃଙ୍ଖଳା' ଯୋଗୁଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହା ୧୯୭୫ ଜୁନ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇଥିଲା । ଏହି ଘୋଷଣା ପ୍ରଧାନମନ୍ତ୍ରୀଙ୍କୁ ଆଦେଶ ଅନୁଯାୟୀ ଶାସନ କରିବାର କ୍ଷମତା ପ୍ରଦାନ କରିଥିଲା, ଫଳସ୍ବରୂପ ନିର୍ବାଚନ ବାତିଲ ହେବା ସହ ନାଗରିକ ସ୍ବାଧୀନତା ସ୍ଥଗିତ ରହିଥିଲା । ଏହାପରେ ୨୦୦୧ ମସିହାରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା (LeT)ଙ୍କ ହମଲାର ଶିକାର ହୋଇଥିଲା ଦେଶ । ନକଲି ଗୃହ ମନ୍ତ୍ରଣାଳୟର ଷ୍ଟିକର ଲାଗିଥିବା ଏକ ଧଳା ଆମ୍ବାସାଡର ଗାଡି ବ୍ୟବହାର କରିଥିଲେ । AK-47 ରାଇଫଲ, ଗ୍ରେନେଡ, ଗ୍ରେନେଡ ଲଞ୍ଚର ଏବଂ ବନ୍ଧୁକ ସହିତ ସଶସ୍ତ୍ର ଆକ୍ରମଣକାରୀମାନେ ଏକାଧିକ ସୁରକ୍ଷା ସ୍ତରକୁ ଭେଦିବାରେ ସକ୍ଷମ ହୋଇଥିଲେ । ସୌଭାଗ୍ୟବଶତଃ ସଂସଦର ସମସ୍ତ ସଦସ୍ୟ ନିରାପଦରେ ସ୍ଥାନାନ୍ତର ହୋଇଥିଲେ। ତେବେ ଏହି ଆକ୍ରମଣରେ ୯ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଦିଲ୍ଲୀର ଜଣେ ପୋଲିସ କର୍ମଚାରୀ ଏବଂ ସଂସଦର ୨ଜଣ ସୁରକ୍ଷା ଅଧିକାରୀଙ୍କ ସମେତ ୧୮ ଜଣ ଆହତ ହୋଇଥିଲେ।

ସେଣ୍ଟ୍ରାଲ ଭିଷ୍ଟାରେ ଏବେ ନୂଆ ସଂସଦ ଭବନ ଏହି ପୁରୁଣା ସଂସଦ ଭବନର ସ୍ଥାନ ନେବାକୁ ଯାଉଛି । ହେଲେ ଏପଟେ ପୁରୁଣା ସଂସଦ ଭବନର ଭବିଷ୍ୟତ ଏକ ଅନିଶ୍ଚିତତା ମଧ୍ୟରେ ରହିଛି । ଏହାକୁ ମରାମତି କରାଯାଇ ମ୍ୟଜିଅମ କରିବା ସହିତ ସମୟେ ସମୟେ ସଂସଦୀୟ କାର୍ଯ୍ୟ ଲାଗି ବ୍ୟବହାର ହେବ ବୋଲି ଆଲୋଚନା କରାଯାଉଛି । ପୁରୁଣା ସଂସଦ ଭବନର କାନ୍ଥ ଆଗକୁ ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କ କାହାଣୀ ବଖାଣିବ । ପର୍ଯ୍ୟଟକମାନେ ଏହାର କରିଡର ବୁଲିବେ ଓ ଏହାର ଇତିହାସ ପଢି ମନରେ ଶକ୍ତି ଭରିବେ । ପରିଶେଷରେ ପୁରାତନ ସଂସଦ ଗୃହ ସବୁଦିନ ପାଇଁ ଏକ ଦେଶର ବିବର୍ତ୍ତନର ନିରବ ସାକ୍ଷୀ ଭାବରେ ଛିଡା ହେବ ।

ABOUT THE AUTHOR

...view details