ହାଇଦ୍ରାବାଦ:ବାଲେଶ୍ବର ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢି ବଢି ଚାଲିଛି । ଖବର ଲେଖାଯିବା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮୮ ଓ ଆହତ ୯୦୦ରୁ ଅଧିକ ରହିଛି । ଏଠି ପ୍ରଶ୍ନ ଉଠୁଛି ଟେକ୍ନୋଲୋଜି, ଡିଜିଟାଲ ଯୁଗରେ କାହିଁକି ଘଟିଲା ଏତେ ବଡ଼ ଦୁର୍ଘଟଣା । କେଉଁଠି ତ୍ରୁଟି ରହିଲା ? ଏହା ମନୁଷ୍ୟକୃତ ନା କୌଣସି ଯୋଗାଯୋଗାର ଅଭାବ ? ଏହି ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ ଆଣ୍ଟି-କୋଲିଜନ୍ ଡିଭାଇସ୍ 'କବଚ' ଚର୍ଚ୍ଚାର ପରିସରକୁ ଆସିଛି । ଯାହାକି ଏହି ରୁଟ୍ରେ କାର୍ଯ୍ୟକ୍ଷମ ନଥିଲା । ଯଦି ଏହା କାର୍ଯ୍ୟକ୍ଷମ ହୋଇଥାନ୍ତା ତେବେ ହୁଏତ ଏତେ ବଡ଼ ଦୁର୍ଘଟଣା ଦେଖିନଥାନ୍ତା ଦେଶ ।
ଏହା ବି ପଢନ୍ତୁ- Train Accident: ଦୁର୍ଘଟଣାସ୍ଥଳ ବାହାନଗାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ପଶ୍ଚିମବଙ୍ଗ ହାୱଡାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିବା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ (ଟ୍ରେନ ନଂ 12841) ମାଲବାହୀ ଟ୍ରେନକୁ ଧକ୍କା ଦେବା ପରେ ପ୍ରଥମ ଦୁର୍ଘଟଣା ଘଟିଥିଲା । ସେହି ସମୟରେ ଅନ୍ୟ ଟ୍ରେନ ଲାଇନରେ ଯାଉଥିଲା ଯଶୱନ୍ତପୁର-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ । କରମଣ୍ଡଳର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇ ଯଶୱନ୍ତପୁର-ହାୱଡା ଟ୍ରେନର ଶେଷ ୩ଟି ବଗି ସହିତ ଧକ୍କା ଖାଇଥିଲା । ସନ୍ଧ୍ୟା ପ୍ରାୟ ୬ଟା ୫୫ମିନିଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ନେଇ କୁହାଯାଉଛି । ଏହି ଦୁର୍ଘଟଣାକୁ ନେଇ ସାଧାରଣ ଲୋକେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଟ୍ବିଟରରେ ଘେରିଛନ୍ତି । କାହିଁକି ଏହି ରୁଟ୍ରେ ଆଣ୍ଟି-କୋଲିଜନ୍ ଡିଭାଇସ୍ 'କବଚ' କାର୍ଯ୍ୟକ୍ଷମ ହୋଇନଥିଲା ବୋଲି ପ୍ରଶ୍ନ କରିଛନ୍ତି । ଯଦି ଏହି ଟେକ୍ନୋଲୋଜି କାର୍ଯ୍ୟକ୍ଷମ ହୋଇଥାନ୍ତା, ତେବେ ବଡ଼ ଦୁର୍ଘଟଣାକୁ ହୁଏତ ବର୍ତ୍ତିପାରିଥାନ୍ତେ ଶହ ଶହ ଯାତ୍ରୀ ।
ଆଣ୍ଟି-କୋଲିଜନ୍ ଡିଭାଇସ୍ 'KAVACH' କଣ ?
ଟ୍ରେନ ଦୁର୍ଘଟଣାକୁ ରୋକିବା ଲାଗି ଆଣ୍ଟି-କୋଲିଜନ୍ ଡିଭାଇସ୍ 'କବଚ'ର ଡେଭଲପ କରାଯାଇଛି । ଏହି ବିଶେଷ ଟେକ୍ନୋଲୋଜି ଦ୍ବାରା ୧୦ ହଜାର ବର୍ଷ ମଧ୍ୟରେ ଟ୍ରେନ ଦୁର୍ଘଟଣାର ସମ୍ଭାବନାକୁ ୧କୁ ଖସାଯାଇପାରିବ । ଏ ନେଇ ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇ କହିଥିଲେ, " ସ୍ବଦେଶୀ ବିକଶିତ ଆଣ୍ଟି-କୋଲିଜନ୍ ଡିଭାଇସ୍ SIL4 ଦ୍ବାରା ସ୍ବୀକୃତିପ୍ରାପ୍ତ । ଏହାର ଅର୍ଥ ହେଉଛି ଦୁର୍ଘଟଣାର ସମ୍ଭାବନାକୁ ରୋକାଯାଇପାରିବ । ଯଦି ବି ଦୁର୍ଘଟଣା ଘଟେ ତେବେ ଏହା ୧୦ ହଜାର ବର୍ଷ ମଧ୍ୟରେ ଅତି କମରେ ଗୋଟିଏ ମାତ୍ର ଦୁର୍ଘଟଣା ହେବ ।" କବଚ ଟେକ୍ନୋଲୋଜି ହେଉଛି ଏକ ଟେକ୍ନିକାଲ ଶବ୍ଦ । ଯାହାର ଅର୍ଥ ହେଉଛି ଟ୍ରେନ କୋଲିଜନ ଆଭଏଡାନ୍ସ ସିଷ୍ଟମ (TCAS) ବା ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ (ATP) । ଏହି ବ୍ୟବସ୍ଥାର ଅର୍ଥ ହେଉଛି ଯଥାସମ୍ଭବ ଟ୍ରେନ ଦୁର୍ଘଟଣାକୁ ରୋକିବା ।