ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଲୋମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି । ବିଶାଖାପାଟଣାରେ ଓଡ଼ିଶାର ଜଣେ 17 ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । 13 ଜଣ ଦେହଲୋଭୀ ଜହ୍ଲାଦ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣାରେ 11 ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ନେଇ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି । ପୀଡିତା ନାବାଳିକାଙ୍କ ଘର ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ହୋଇଥିବା ବେଳେ ଗତ 9 ମାସ ତଳେ କାମ କରିବା ପାଇଁ ବିଶାଖାପାଟଣା ଆସିଥିଲେ । ସେଠାରେ ସେ ଜଣକ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ ।
ବିଶ୍ବାସରେ ବିଷ ଦେଲା ପ୍ରେମିକ: ପୀଡିତାଙ୍କ ବୟାନ ଅନୁଯାୟୀ, ଡିସେମ୍ବର 18 ତାରିଖ ଦିନ ତାଙ୍କ ପ୍ରେମିକ ତାଙ୍କୁ ବିଶାଖାପାଟଣାର ଆର କେ ବେଳାଭୂମି ନିକଟ ଏକ ଲଜକୁ ନେଇଯାଇଥିଲେ । ସେଠାରେ ପ୍ରେମିକ ନିଜ ବନ୍ଧୁଙ୍କ ସହ ମିଶି ନାବାଳିକାଙ୍କୁ ଦୁଇ ଦିନ ଧରି ଦୁଷ୍କର୍ମ କରିବା ସହିତ ନିର୍ଯାତନା ଦେଇଥିଲେ । ପରେ ପୀଡିତା ନାବାଳିକା ସେମାନଙ୍କ ନିକଟରୁ ଖସିପଳାଇ ଆସିଥିଲେ । ପ୍ରେମିକ ବିଶ୍ବାସରେ ବିଷ ଦେବା ପରେ ଏହି ଘଟଣାକୁ ନେଇ ଭାଙ୍ଗିପଡି ପୀଡିତା । ତେଣୁ ସେ ପୁଣିଥରେ ସେହି ବେଳାଭୂମିକୁ ଯାଇ ନିଜ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ।
ଜୀବନ ବଞ୍ଚାଇ ଦୁଷ୍କର୍ମ କଲେ: ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ସେହି ସମୟରେ ଜଣେ ଫୋଟୋଗ୍ରାଫର ତାଙ୍କ ଜୀବନ ବଞ୍ଚାଇଥିଲେ । ଏହାପରେ ସେହି ଫୋଟୋଗ୍ରାଫର ଜଣକ ତାଙ୍କୁ ଘରେ ଛାଡିବା ଆଳରେ ଏକ ଲଜକୁ ନେଇ ତାଙ୍କ ସହ ପୁଣି ଦୁଷ୍କର୍ମ କରିଥିଲେ । କେବଳ ଏତିକିରେ ଅଭିଯୁକ୍ତର ବର୍ବରତା ଥମିନଥିଲା, ଅଭିଯୁକ୍ତ ଫଟୋଗ୍ରାଫର ନିଜେ ଦୁଷ୍କର୍ମ କରିବା ପରେ ନିଜର 8 ଜଣ ସାଙ୍ଗମାନଙ୍କୁ ଡାକି 2 ଦିନ ଧରି ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିଲା ।
ତେବେ କୌଶଳକ୍ରମେ ସେମାନଙ୍କ ନିକଟକୁ ଖସି ଆସି ନାବାଳିକା ଜଣକ ଭୟଭୀତ ହୋଇ ନିଜ ଜନ୍ମସ୍ଥାନ କଳାହାଣ୍ଡି ଜିଲ୍ଲାକୁ ପଳାଇ ଯାଇଥିଲେ । ତେବେ ଘଟଣା ସାମ୍ନାକୁ ଆସିବା ପରେ 11 ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି ।