ସିଲଙ୍ଗ:ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି କୋନରାଡ ସାଙ୍ଗମା । ଲଗାତାର ଦ୍ବିତୀୟ ଥର ରାଜ୍ୟରେ ସରକାର ଗଠନ କରିଛନ୍ତି ଏନପିପି ମୁଖ୍ୟ କୋନରାଡ ସାଙ୍ଗମା । ମୁଖ୍ୟମନ୍ତ୍ରୀ ଭାବେ କୋନରାଡ ସାଙ୍ଗମାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଫାଗୁ ଚୌହାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ।
ପିପୁଲ୍ସ ଡେମୋକ୍ରାଟିକ ଫଣ୍ଟ (ପିଡିଏଫ) ଏବଂ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି (ୟୁଡିପି) କୋନରାଡ ସାଙ୍ଗମାଙ୍କୁ ସମର୍ଥନ କରିଥିଲେ । ସାଙ୍ଗମାଙ୍କୁ ମୋଟ 45 ବିଧାୟକଙ୍କ ସମର୍ଥନ ରହିଥିଲା । ମେଘାଳୟରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ୟୁଡିପି 11ଟି ଆସନ ଜିତିଥିବା ବେଳେ ପିଡିଏଫ ଓ ବିଜେପି 2ଟି ଲେଖାଏଁ ଆସନ ଜିତିଥିଲା । ଏଚଏସପିଡିଜିର 2 ବିଧାୟକଙ୍କ ଦୁଇ ସ୍ବାଧୀନ ବିଧାୟକ ସାଙ୍ଗମାଙ୍କୁ ସମର୍ଥନ କରିଥିଲେ । ଏନପିପି 26ଟି ଆସନରେ ବିଜୟୀ ହୋଇଥିଲା । ଫଳରେ ଦ୍ବିତୀୟ ଥର ପାଇଁ ମେଘାଳୟରେ ସରକାର ଗଠନ କରିଛନ୍ତି କୋନରାଡ ସାଙ୍ଗମା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସାଙ୍ଗମା କହିଛନ୍ତି, ''ଆଗାମୀ 5 ବର୍ଷ ପାଇ ରାଜ୍ୟର ଅଗ୍ରଗତି ପାଇଁ କାର୍ଯ୍ୟ କରିବୁ । ଯୁବଗୋଷ୍ଠୀ ଓ ନିଯୁକ୍ତି ଉପରେ ଅଧିକ ଗୁରୁତ୍ବ ଦେବୁ। ତୃଣମୂଳ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଦିଗରେ ଗୁରୁତ୍ବ ଦେବୁ ।''
ଏହା ବି ପଢନ୍ତୁ...Jan Aushadhi Diwas: ନିଃସନ୍ଦେହରେ ଜେନେରିକ୍ ମେଡିସନ୍ ସେବନ କରନ୍ତୁ, ସୁସ୍ଥ ରୁହନ୍ତୁ