ଆଲେଖ୍ୟ:- ଡଃ.ରାବେଲା ଭାନୁ କ୍ରିଷ୍ଣା କିରଣ
ହାଇଦ୍ରାବାଦ:8 ରାଜ୍ୟ (ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରା)କୁ ନେଇ ଗଠିତ ଭାରତର ଉତ୍ତର-ପୂର୍ବାଞ୍ଚଳ(NER) ସ୍ବାଧୀନତା ପରବର୍ତ୍ତୀ ସମୟରେ ଏକାଧିକ ସଶସ୍ତ୍ର ଉଗ୍ରବାଦକୁ ଜନ୍ମ ଦେଇଛି । ଯାହାକି ଏହି କ୍ଷେତ୍ରରେ ପ୍ରବଳ ହିଂସା ଓ ଅସ୍ଥିରତାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି । 2014 ମସିହା ପରେ ଏହି କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାରେ ବହୁମାତ୍ରାରେ ସୁଧାର ମଧ୍ୟ ଆସିଛି । କେନ୍ଦ୍ର ଗୃହବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁସାରେ, ମିଜୋରାମ, ତ୍ରିପୁରା ଓ ସିକ୍କିମରେ ପ୍ରାୟତଃ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ସରକାରୀ ତଥ୍ୟ ଅନୁସାରେ, ବର୍ଷ 2004 ରୁ 2014 ମଧ୍ୟରେ ଏହି କ୍ଷେତ୍ରରେ ମୋଟ 11 ହଜାର 121 ଟି ହିଂସା ଘଟଣା ସାମ୍ନାକୁ ଆସିଥିଲା । ମାତ୍ର 2014 ରୁ 2023 ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ମାତ୍ର 3,033 ଟି ଉଗ୍ରବାଦ ଘଟଣା ସାମ୍ନାକୁ ଆସିଛି । ଯାହା ପୂର୍ବ ସଂଖ୍ୟା ତୂଳନାରେ ପ୍ରାୟ 73 ପ୍ରତିଶତ କମ୍ ।
ଏବେ ଉତ୍ତର-ପୂର୍ବରେ ଉଗ୍ରବାଦ ହ୍ରାସ କରିବା ପାଇଁ ସେନା, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓ ରାଜ୍ୟ ପୋଲିସ ଦ୍ୱାରା ଆତଙ୍କବାଦ ବିରୋଧୀ ମିଶନକୁ ବ୍ୟାପକ କରିବା ସହିତ ଭାରତ ସରକାର ଏକ ମିଶ୍ରିତ ନୀତି ମଧ୍ୟ ଅନୁସରଣ କରୁଛନ୍ତି । ହିଂସା ତ୍ୟାଗ କରୁଥିବା ତଥା ସାମ୍ବିଧାନିକ ଢାଞ୍ଚାରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସରକାର ବିଦ୍ରୋହୀ ଗୋଷ୍ଠୀମାନଙ୍କ ସହ ଆଲୋଚନା ନୀତି ମଧ୍ୟ ଆପଣେଇଛନ୍ତି । ଏହା ଅନେକାଂଶରେ ସଫଳ ମଧ୍ୟ ହୋଇଛି । ସେହି ନୀତି ଅନୁସାରେ, ଅନେକ ବିଦ୍ରୋହୀ ଗୋଷ୍ଠୀ ଭାରତ ସରକାରଙ୍କ ସହ ଆଲୋଚନା କରି ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଗେଇ ଆସିଥିବାର ନିକଟ ଅତୀତରେ ନଜରି ମଧ୍ୟ ରହିଛି ।
2014 ପରଠାରୁ, ଭାରତ ସରକାର 9ଟି ଉଗ୍ରବାଦ ସଂଗଠନ ଓ ସୀମା ବିବାଦ ସମ୍ପର୍କିତ ପ୍ରସଙ୍ଗରେ ଚୁକ୍ତିନାମା ସ୍ବାକ୍ଷର କରିସାରିଛନ୍ତି । ଯାହା ଉକ୍ତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ସ୍ଥିତିରେ ସୁଧାର ଆଣିବାରେ ବହୁମାତ୍ରାରେ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଗତବର୍ଷ (2023) ଡିସେମ୍ବର 29 ତାରିଖରେ ଭାରତ ସରକାର, ଆସାମ ସରକାର ଓ ଆସାମର ବହୁ ପୁରାତନ ଉଗ୍ରବାଦୀ ସଂଗଠନ (ଉଲଫା) (ରାଜଖ୍ବାଓ୍ବା ନେତୃତ୍ବାଧୀନ ଗୋଷ୍ଠୀ ) ମଧ୍ୟରେ ତ୍ରୈପାକ୍ଷିକ ଶାନ୍ତିଚୁକ୍ତି ସ୍ବାକ୍ଷରିତ ହେବାରେ ସଫଳତା ମିଳିଛି । ସେହିପରି 2023 ଶେଷ ଭାଗରେ ମଣିପୁରରେ ଗତ 6 ଦଶନ୍ଧି ଧରି ପ୍ରଭାବୀ ଥିବା ଉପତ୍ୟାକା ଉଗ୍ରବାଦୀ ସଂଗଠନ ‘UNLF’ ମଧ୍ୟ ଶାନ୍ତିଚୁକ୍ତିରେ ସ୍ବାକ୍ଷରିତ କରିଛି । ସେମାନେ ସଶସ୍ତ୍ର ବିଦ୍ରୋହ ଛାଡି ଭାରତୀୟ ସମ୍ବିଧାନରେ ବିଶ୍ବାସ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧରେ କାମ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ।
ଶାନ୍ତିଚୁକ୍ତି ପ୍ରକ୍ରିୟା ସତ୍ତ୍ବେ ମଧ୍ୟ ଉତ୍ତର-ପୂର୍ବରେ ଅନେକ ପ୍ରତିବନ୍ଧକ ରହିଛି । କିଛି ବିଦ୍ରୋହୀ ଗୋଷ୍ଠୀମାନେ ଭାରତର ଅଖଣ୍ଡତା ବିରୋଧରେ ବିଦ୍ରୋହ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ଅନ୍ୟତମ ଉତ୍ତର ପୂର୍ବ ରାଜ୍ୟ ଆସାମ ବିଦ୍ରୋହର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କାରଣ ULFA (ପରେଶ ବରୁଆ ନେତୃତ୍ବାଧୀନ ଗୋଷ୍ଠୀ) ସାର୍ବଭୌମ ଆସାମର ଦାବି ସହ ସରକାରଙ୍କ ଶାନ୍ତି ଚୁକ୍ତିନାମାର ଅଂଶ ହେବାରୁ ବିରତ ରହିଛି । ଏହି ଗୋଷ୍ଠୀ ସଶସ୍ତ୍ର ସଂଗ୍ରାମ ଜାରି ରଖିବା ପାଇଁ ସୀମା ସଲଗ୍ନ ମିଆଁମାର ଅଞ୍ଚଳକୁ ଆଧାର ଭାବେ ବ୍ୟବହାର ଜାରି ରଖିଛି । ଅନ୍ୟଦୁଇ ଉଗ୍ରବାଦୀ ସଂଗଠନ ‘ବୋଡୋ’ ଓ ‘କାର୍ବି’ କ୍ଷେତ୍ରରେ ଯଦିଓ ଚୁକ୍ତିନାମାରେ ସାମିଲ ହୋଇଛନ୍ତି, ତଥାପି ଏହି ଗୋଷ୍ଠୀଗୁଡିକ ବୋଡୋଲାଣ୍ଡ ଭାବେ ଏକ ପୃଥକ ରାଜ୍ୟ ତଥା ଭାରତୀୟ ସମ୍ବିଧାନର ଧାରା 244-A ଅନୁଯାୟୀ କାର୍ବିସଙ୍କ ପାଇଁ ଏକ ସ୍ବୟଂଶାସିତ ରାଜ୍ୟ ଦାବି କରୁଛନ୍ତି । ତେଣୁ ଏହି ପରିସ୍ଥିତିରୁ ଏହା ସ୍ପଷ୍ଟ ଯେ, ଆସାମରେ ଆଗାମି ଦିନରେ ହିଂସାତ୍ମକ ଆନ୍ଦୋଳନର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
ଯଦିଓ ଉତ୍ତର-ପୂର୍ବାଞ୍ଚଳ (NER) ରେ ସଶସ୍ତ୍ର ବିଦ୍ରୋହ ଓ ଉଗ୍ରବାଦ ସମ୍ବନ୍ଧୀୟ ଘଟଣା ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ରେକର୍ଡ ହୋଇଛି, ତଥାପି ନାଗାଲାଣ୍ଡର ପରିସ୍ଥିତି ଏବେ ମଧ୍ୟ ଚିନ୍ତାଜନକ ରହିଛି । ନାଗାଲାଣ୍ଡର ‘ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ ନାଗାଲାଣ୍ଡ’ NSCN (IM) ସହ ଭାରତ 1997 ମସିହା ଅଗଷ୍ଟ ପହିଲାରେ ଏକ ଶାନ୍ତିଚୁକ୍ତି ସ୍ୱାକ୍ଷର କରିଥିଲା । କିନ୍ତୁ ଏହି ଚୁକ୍ତିକୁ ଦୀର୍ଘ 70 ବର୍ଷ ବିତିଥିଲେ ସୁଦ୍ଧା ନାଗା ବିଦ୍ରୋହକୁ ଶେଷ କରିବା ପାଇଁ ଅନ୍ତିମ ସମାଧାନ ବାହାର କରାଯାଇପାରିନି । ନାଗାମାନଙ୍କ ପାଇଁ ପୃଥକ ପତାକା ଓ ପୃଥକ ସମ୍ବିଧାନର ଦାବି ଉପରେ ଭାରତ ସରକାର ଓ NSCN (IM) ମଧ୍ୟରେ ବିବାଦ ଏବେ ବି ଲାଗି ରହିଛି । 7 ଟି ନାଗା ବିଦ୍ରୋହୀ ଗୋଷ୍ଠୀର ଏକ ସମ୍ମିଳିତ ଫୋରମ ‘ନାଗା ଜାତୀୟ ରାଜନୈତିକ ଗୋଷ୍ଠୀ’ (NNPG) ଏହି ଦାବିରୁ ହଟିବା ପାଇଁ ଆଦୌ ପ୍ରସ୍ତୁତ ନାହିଁ । କିନ୍ତୁ NSCN (IM) ନାଗା ପତାକା ଓ ସମ୍ବିଧାନର ସ୍ୱୀକୃତି ବିନା ସରକାରଙ୍କ ଚୂଡ଼ାନ୍ତ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ମନା କରିଦେଇଛି । ଯାହା ଶାନ୍ତିଚୁକ୍ତିକୁ ବ୍ୟାଘାତ କରିଛି ।
ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଓ ସ୍ଥିରତା ଭାରତ ପାଇଁ ଦୁଇଟି ପ୍ରମୁଖ କାରଣରୁ ଅତି ଜରୁରୀ । ପ୍ରଥମଟି ହେଉଛି ସମଗ୍ର ଉତ୍ତର-ପୂର୍ବରୁ ମୂଳ ଭାରତୀୟ ଭୂଖଣ୍ଡ ସହ ଯୋଡୁଥିବା ପଶ୍ଚିମବଙ୍ଗର ‘ସିଲିଗୁଡି କରିଡର’ ବା ‘ଚିକେନ ନେକ’ କରିଡର । 21 କି.ମି ଓ 40 କିଲୋମିଟର ଲମ୍ବ ଓ ପ୍ରସ୍ଥ ଥିବା ସିଲିଗୁରି କରିଡରକୁ ବିଦ୍ରୋହୀ ଗୋଷ୍ଠୀମାନେ ସେମାନଙ୍କର ବିଦ୍ରୋହୀ ଆନ୍ଦୋଳନ ପାଇଁ ସହଜରେ ବ୍ୟବହାର ମଧ୍ୟ କରିପାରନ୍ତି । ଦ୍ୱିତୀୟତଃ ଏହି କ୍ଷେତ୍ର ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶ ଦ୍ୱାର ମଧ୍ୟ । କାରଣ ଏହା ଚୀନ, ବାଂଲାଦେଶ, ଭୁଟାନ, ମିଆଁମାର ଓ ନେପାଳ ସହିତ 5,484 କିଲୋମିଟର ଲମ୍ବ ଅନ୍ତର୍ଜାତୀୟ ସୀମା ସଲଗ୍ନ ମଧ୍ୟ ରହିଛି । ଯାହା ସୁରକ୍ଷା ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ ।