ନୂଆଦିଲ୍ଲୀ:ମଣିପୁର ପ୍ରସଙ୍ଗରେ ମୋଦି ସରକାର ଆଜି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ । ଆଜି(ମଙ୍ଗଳବାର) ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ନିଜର ଲୋକସଭା ସଦସ୍ୟତା ଫେରି ପାଇଥିବାରୁ ଏହି ଆଲୋଚନାରେ ଭାଗ ନେବେ । ରାହୁଲ ମଣିପୁର ହିଂସା ପ୍ରସଙ୍ଗରେ ଗୃହରେ କ'ଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ଆଜି ଦିନ ୧୨ଟାରୁ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ମୋଦି ସରକାରଙ୍କ ବିରୋଧରେ ଏହା ଦ୍ବିତୀୟ ଅନାସ୍ଥା ପ୍ରସ୍ତାବ ।
ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ବିବୃତ୍ତି ନରଖିବାରୁ ବିରୋଧୀ ମହାମେଣ୍ଟ 'ଇଣ୍ଡିଆ' ଅନସ୍ଥା ପ୍ରସ୍ତାବ ଆଣିଛନ୍ତି । ଆଜିଠୁ ଆସନ୍ତା ଦୁଇ ଦିନ ଅର୍ଥାତ୍ ଅଗଷ୍ଟ ୯ ଓ ୧୦ ତାରିଖ ଯାଏଁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଏହି ଅନସ୍ଥା ଉପରେ ଉତ୍ତର ରଖିବେ । ଗତ ସପ୍ତାହରେ ବିରୋଧୀ ମେଣ୍ଟ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଥିଲେ । ଅନାସ୍ଥା ପ୍ରସ୍ତାବ ପାରିତ ହେଲେ ସରକାରଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ ।