ପାଟନା:2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିଧିବଦ୍ଧ ମେଳି ବାନ୍ଧି ସାରିଛନ୍ତି ବିରୋଧୀ । ‘ଇଣ୍ଡିଆ’ ମେଣ୍ଟ ବ୍ୟାନରରେ ବେଙ୍ଗାଲୁରୁରେ ମହାସମ୍ମିଳନୀ କରି 26ଟି ବରୋଧୀ ଦଳ ଶକ୍ତି ମଧ୍ୟ ପ୍ରଦର୍ଶନ କରିସାରିଛନ୍ତି । ଏବେ ମୁମ୍ବାଇରେ ହେବାକୁ ଥିବା ମେଣ୍ଟର ତୃତୀୟ ବୈଠକକୁ ସମଗ୍ର ଦେଶ ନଜର ରଖିଛି । ପୁଣିଥରେ ଆଲୋଚନା ହେଉଛି ଯେ ନୀତୀଶ କୁମାରଙ୍କୁ ମେଣ୍ଟ ଆବହକ ଘୋଷଣା କରାଯାଇପାରେ । ଏହାରି ମଧ୍ୟରେ ପ୍ରଥମରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ଇଚ୍ଛାକୁ ଖଣ୍ଡନ କରି ଆସିଥିବା ନୀତିଶ ମେଣ୍ଟ ଆବାହକ ହେବା ଇଚ୍ଛାକୁ ମଧ୍ୟ ଖଣ୍ଡନ କରଛନ୍ତି । କହିଛନ୍ତି, ତାଙ୍କର ସେପରି କିଛି ଇଚ୍ଛା ପ୍ରଥମରୁ ନଥିଲା । କି’ଏ ମେଣ୍ଟ ଆବାହକ ହେବ ସେନେଇ ପରେ ଜଣାପଡିବ ।
ସେପଟେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । କହଛନ୍ତି, ବିରୋଧୀ ଦଳର ବୈଠକରେ ସମସ୍ତ ଦଳର ନେତା ଆସିବେ । ଏ ସମ୍ପର୍କରେ ଆଲୋଚନା ହେବ । ସମସ୍ତଙ୍କ ସମ୍ମତି ଅନୁଯାୟୀ ଯାହା ନିଷ୍ପତ୍ତି ନିଆଯିବ, ତାହା ମେଣ୍ଟ ସଦସ୍ୟ ଗ୍ରହଣ କରିବେ । ସମସ୍ତ ବିରୋଧୀଙ୍କୁ ଦଳ ଏକାଠି କରିବାରେ ଆମର ପ୍ରୟାସ ଏବଂ ଆମେ ଏଥିରେ ସଫଳ ହୋଇଛୁ । ବର୍ତ୍ତମାନ ମୁମ୍ବାଇ ବୈଠକରେ ବିଭିନ୍ନ ଏଜେଣ୍ଡା ଆଲୋଚନା ହେବାକୁ ଯାଉଛି ।
ତେବେ ବିରୋଧୀଙ୍କୁ ଏକାଠି କରିବାରେ ପ୍ରଥମ ପ୍ରୟାସ ଆରମ୍ଭ କରିଥିବା ନୀତିଶଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଜାରି ରହିଛି । 23 ଜୁନରେ ପାଟନାରେ ନୀତିଶଙ୍କ ବାସଭବନରେ ପ୍ରଥମ ବିରୋଧୀ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ଏଥିରେ ମେଣ୍ଟ ଗଠନ କିମ୍ବା ଅନ୍ୟ କୌଣସି ପ୍ରମୁଖ ନିଷ୍ପତ୍ତି ଗ୍ରହଣ ହୋଇପାରିନଥିଲା । ଦ୍ବିତୀୟ ବୈଠକର ଆୟୋଜନ ଭାର ମୁଖ୍ୟ ବିରୋଧୀ କଂଗ୍ରେସ ଗ୍ରହଣ କରିଥିଲା । ବେଙ୍ଗାଲୁରୁ ବୈଠକରେ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯାଇଥିଲା ।