ଜୟପୁର: ରାଜସ୍ଥାନ ଓଲଓ୍ବାର ଦାଉସା ଷ୍ଟେସନ ନିକଟରେ ନୀଳଗାଈକୁ ଧକ୍କା ଦେଇଛି ବନ୍ଦେ ଭାରତ ଏକ୍ସପ୍ରେସ । ଏଥିରେ ଗାଈ ସମେତ ରେଳ ଧାରଣା ବିଦ୍ୟୁତିକରଣ କାର୍ଯ୍ୟରେ ନିୟୋଜିତ ଜଣେ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଗାଈଟି ଦୃତଗାମୀ ଟ୍ରେନ ଧକ୍କାରେ ଛଟିକିପଡି ପାର୍ଶ୍ବବର୍ତ୍ତୀ ଧାରଣାରେ କାର୍ଯ୍ୟରତ ଥିବା ରେଳ କର୍ମଚାରୀଙ୍କ ଉପରେ ମାଡ ହୋଇଥିଲା । ଫଳରେ ସେହିଠାରେ ହିଁ ସମ୍ପୃକ୍ତ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ପ୍ରାଣ ହରାଇଥିବା ରେଳ କର୍ମଚାରୀ ଶିବଦୟାଲ ଶର୍ମା ଓ ସେ ରେଳବାଇରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।
କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଦୃତଗାମୀ ଟ୍ରେନଟି ପ୍ରଥମେ ଧାରଣା ପାର ହେଉଥିବା ନୀଳଗାଈକୁ ଧକ୍କା ଦେଇଥିଲା । ଏହି ସମୟରେ ପାର୍ଶ୍ବବର୍ତ୍ତୀ ରେଳଧାରଣାରେ ରେଳ କର୍ମଚାରୀ ଶିବଦୟାଲ ଶର୍ମା ବିଦ୍ୟୁତ ଖୁଣ୍ଟି ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ । ଟ୍ରେନ୍ ଧକ୍କାରେ ଗାଈଟି ଛିଟିକି ଆସି ତାଙ୍କ ଦେହରେ ମାଡ ହୋଇଥିଲା । ସେ ମଧ୍ୟ କିଛି ଦୂର ଛିଟିକି ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନେବା ପାଇଁ ପ୍ରୟାସ କରାଯାଇଥିଲେ ସୁଦ୍ଧା ଘଟଣାସ୍ଥଳରେ ଶିବଦୟାଲଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଗାଈଟି ମଧ୍ୟ ପ୍ରାଣ ହରାଇଛି ।
ତେବେ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ଟ୍ରେନଟି ମଧ୍ୟ କିଛି ସମୟ ଅଟକି ରହିଥିଲା । ଖବର ମିଳିବା ପରେ ସ୍ଥାନୀୟ ଲୋକେ ଭିଡ ଜମାଇବା ସହ ସ୍ଥାନୀୟ ପୋଲିସକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି । କିଛି ସମୟ ଅଟକି ରହିବା ପରେ ଟ୍ରେନଟି ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲା । ରାଜସ୍ଥାନରୁ ଆଜମେରରୁ ଦିଲ୍ଲୀ ଚଳାଚଳ କରୁଥିବା ଏହି ବନ୍ଦେ ଭାରତ ଏକ୍ସେପ୍ରେସକୁ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଶୁଭାରମ୍ଭ କରିଥିଲେ ।