ଶ୍ରୀନଗର: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଆତଙ୍କୀଙ୍କୁ ନିପାତ କରିବା ପାଇଁ ସେନା ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ କୁମ୍ବିଂକୁ ଜୋରଦାର କରାଯିବା ସହ ଏନଆଇଏ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ରେଡ କରାଯାଇଛି । ଶନିବାର ଜମ୍ମୁ କାଶ୍ମୀରର ବାଥିଣ୍ତିରୁ ଆଇଡି ଜବତ ଓ ଲସ୍କର-ଇ-ମୁସ୍ତାଫା (ଲେଏମ୍) ସଂଗଠନ ପାକିସ୍ତାନର ଜୌସ-ଏ-ମହମ୍ମଦ ମୋର୍ଚ୍ଚା ସହ ସମ୍ପୃକ୍ତି ନେଇ ଏନଆଇଏ ପକ୍ଷରୁ ଜମ୍ମୁ କାଶ୍ମୀର ୧୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା । ଜାମ୍ମୁ କାଶ୍ମୀର ପୋଲିସ , ସିଆରପିଏଫ ସହ ଏନଆଇଏ ଟିମ ପୁଲୱାମା, ସୋପିଆନ୍, ଶ୍ରୀନଗର, ଅନନ୍ତନାଗ, ଜାମ୍ମୁ ଏବଂ ବାନିହାଲରେ ଏକକାଳୀନ ଚଢାଉ କରିଥିଲେ।
ଲେଏମ ମାମଲାରେ ଅନନ୍ତନାଗର ବାଟିଙ୍ଗୋ ନିବାସୀ ଆତଙ୍କବାଦୀ ଇରଫାନ୍ ଅହମ୍ମଦ ଦାରଙ୍କୁ ଗିରଫ କରିଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଷଡଯନ୍ତ୍ରରେ ସମ୍ପୃକ୍ତ ରହିଛନ୍ତି । କେବଳ ସେତିକି ନୁହେଁ, ଅନ୍ୟ ଗିରଫ ଅଭିଯୁକ୍ତଙ୍କ ସହ ମିଶି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଜୈଶ-ଇ-ମହମ୍ମଦଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ । ଏନେଇ ଜମ୍ମୁ ଜିଲ୍ଲାର ଗଙ୍ଗିଆଲ ପୋଲିସ ଷ୍ଟେସନରେ ପ୍ରଥମେ ମାମଲା ରୁଜୁ କରାଯାଇଥିଲା। ତାଙ୍କ ଠାରୁ ମୋବାଇଲ୍ ଫୋନ୍, ହାର୍ଡ ଡିସ୍କ, ମେମୋରୀ କାର୍ଡ, ପେନ୍ ଡ୍ରାଇଭ୍, ଲାପଟପ୍ ଏବଂ ବହୁ ବୁକଲେଟ୍ ଜବତ କରାଯାଇଛି ।