ଚଣ୍ଡିଗଡ:ବିଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । କାନାଡାରେ ଖଲିସ୍ତାନୀ ସମର୍ଥବାଦୀ ନେତା ହରଦ୍ବୀପ ସିଂ ନିଜହରଙ୍କ ହତ୍ୟା ପରେ ଭାରତକୁ ଦାୟୀ କରିଥିଲେ ଖଲିସ୍ତାନୀ ସପକ୍ଷବାଦୀ । ଏକାଧିକ ଦେଶରେ ଥିବା ଭାରତୀୟ ଦୂତାବାସକୁ ଟାର୍ଗେଟ କରିଥିଲା ଏହି ଗୋଷ୍ଠୀ । ବ୍ରିଟେନ ଓ ଆମେରିକାରେ ଥିବା ଭାରତୀୟ ଦୂତାବାସରେ ଆକ୍ରମଣ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଆଜି ଉଭୟ ଦେଶରେ ହୋଇଥିବା ଆକ୍ରମଣରେ ଅଭିଯୁକ୍ତଙ୍କ ମଧ୍ୟରୁ 15ଜଣଙ୍କୁ ଚିହ୍ନଟ କରାଯାଇଛି ।
କାନାଡାରେ ରହୁଥିବା ଖଲିସ୍ତାନୀ ସପକ୍ଷବାଦୀ ନେତା ହରଦ୍ବୀପ ସିଂ ନିଜହରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପ୍ରତିବାଦରେ ବିଭିନ୍ନ ଦେଶରେ ଥିବା ଖଲିସ୍ତାନୀ ସମର୍ଥକ ଭାରତ ବିରୋଧରେ ନାରାବାଜୀ କରିଥିଲେ । ଜୁଲାଇ 2 ତାରିଖରେ ଆମେରିକା ସ୍ଥିତ ସାନଫ୍ରାନସିସକୋରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ । ଅଟ୍ଟାଳିକାରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ଅବଶ୍ୟ ଏଥିରେ କେହି ମୃତାହତ ହୋଇନଥିଲେ । ସେହିପରି ମାର୍ଚ୍ଚ 19 ତାରିଖରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ଖଲିସ୍ତାନୀଙ୍କ ଦ୍ବାରା ସମାନ ଧରଣର ଆକ୍ରମଣ ହୋଇଥିଲା । ଏଥିରେ ପ୍ରାୟ 45 ଖଲିସ୍ତାନୀ ସମର୍ଥକ ସମ୍ପୃକ୍ତ ଥିବା ପ୍ରାଥମିକ ଭାବେ ଜଣାପଡିଥିଲା ।