ନୂଆଦିଲ୍ଲୀ: ଓଡିଶା ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଜାତୀୟ ମାନବ ଅଧିକାର ଆୟୋଗ (NHRC) । ରାଜ୍ୟର 30ଟି ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଗୁଣି ଗାରେଡି ସମ୍ବନ୍ଧୀୟ ସମସ୍ତ ସୂଚନା ଗ୍ରହଣ କରିବେ ଡିଜିପି ଓ ଶାସନ ସଚିବ । ରାଜ୍ୟରେ ଚାଲିଥିବା ଗୁଣି ଗାରେଡି ସହିତ ଏଥିରେ ପ୍ରାଣ ହରାଉଥିବା ଲୋକେ ଓ ଜନସାଧାରଣ ଭୋଗୁଥିବା ସମସ୍ୟା ବିଷୟରେ ଅବଗତ ହେବେ ଡିଜିପି । ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ନିଆଯାଉଛି, ସେ ନେଇ ମଧ୍ୟ ରିପୋର୍ଟ ଦେବେ ଜିଲ୍ଲାପାଳ । ଏପରି ସାମାଜିକ କୁସଂସ୍କାରରେ କ୍ଷତିପୂରଣ ନେଇ ମଧ୍ୟ ରିପୋର୍ଟ ଦିଆଯିବ ।
ନାଗରିକ ଅଧିକାର ଆଇନଜୀବୀ, ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଓକିଲ ରାଧାକାନ୍ତ ତ୍ରିପାଠୀ ଦାଖଲ କରିଥିବା ଏକ ଆବେଦନ ଉପରେ NHRC ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନରେ ଓଡିଶାରେ ମୃତ୍ୟୁର ବର୍ଷକ ତଥ୍ୟ ରହିଛି। NHRC, NCW ଏବଂ ଅନ୍ୟାନ୍ୟ ଫୋରମର ହସ୍ତକ୍ଷେପ ପରେ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରାର୍ଥନା କରିଛନ୍ତି ।
ଏହାପୂର୍ବରୁ NHRC ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ପ୍ରଶ୍ନ କରିଥିଲା । ଗ୍ରାମ ପଞ୍ଚାୟତର ନିର୍ବାଚିତ ୱାର୍ଡମେମ୍ବରଙ୍କ ଯୋଗଦାନ ମାଧ୍ୟମରେ ଗ୍ରାମୀୟ ସ୍ତରରେ ଗୁଣି ଗାରେଡି ଆକ୍ଟ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲା ବିଭାଗ ।