ନୂଆଦିଲ୍ଲୀ: ମହାମାରୀର ମାୟାଜାଲର ମୁକୁଳିପାରୁନି ବିଶ୍ବ । ରୂପ ବଦଳାଉଛି ବହୁରୂପୀ କୋରୋନା । ଭୟ ଓ ଆଶଙ୍କା ମଧ୍ୟରେ ବିତୁଛି ଜୀବନ । ବଡ ବଡ ଦେଶ ହାର ମାନିଯାଉଛନ୍ତି । ଏହାରି ମଧ୍ୟରେ କୋରୋନାର ନୂଆ ରୂପକୁ ନେଇ ଚିନ୍ତା ବଢାଉଛି ସାମ୍ନାକୁ ଆସୁଥିବା ଖବର ।
ଭାରତରେ ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶରେ ଦେଖାଦେଇଛି କୋରୋନାର ନୂଆ ରୂପ । ଭୂତାଣୁର ଏହି ଭ୍ୟାରିଆଣ୍ଟ ପୂର୍ବ ଭ୍ୟାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, କୋରୋନା ବିରୁଦ୍ଧରେ ଅମୋଘ ଅସ୍ତ୍ର ସାଜିଥିଲା ଭ୍ୟାକ୍ସିନକୁ ମଧ୍ୟ ଏହି ଭ୍ୟାରିଆଣ୍ଟ ଦେଇପାରେ ଚକମା ।
ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର କମ୍ୟୁନିକେବଲ ଡିଜିଜ(National Institute for Communicable Diseases, NICD) ଓ କ୍ବାଜୁଲ ନୈଟଲ ରିସର୍ଚ୍ଚ ଇନୋଭେସନ ଆଣ୍ଡ ସିକ୍ବେନସିଙ୍ଗ ପ୍ଲାଟଫର୍ମ ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, କୋରୋନାର C.1.2 ଭ୍ୟାରିଆଣ୍ଟ ସର୍ବପ୍ରଥମେ ମେ ମାସରେ ସାମ୍ନାକୁ ଆସିଥିଲା । ଏହାପରେ ଅଗଷ୍ଟରେ ଚୀନ, କଙ୍ଗୋ, ବ୍ରିଟେନ, ନ୍ୟୁଜିଲାଣ୍ଡ, ପର୍ତ୍ତୁଗାଲ ଓ ସ୍ବିଜରଲାଣ୍ଡରେ ଏହି ମାମଲା ଦେଖିବାକୁ ମିଳିଛି ।