ମୁମ୍ବାଇ:ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର କିଛି ହାତ ଗଣତି ଦିନ ଥିବା ବେଳେ ଔପଚାରିକ ଭାବେ ଗୋଟିଏ ପରେ ଗୋଟିଏ ରାଜ୍ୟ ଗସ୍ତ କରି ସମର୍ଥନ ହାସଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ । ଆଜି ବିଜେପି ନେତୃତ୍ବାଧୀନ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମୁମ୍ବାଇ ଗସ୍ତ କରିବେ । ମୁର୍ମୁ ସେଠାରେ ଭାରତୀୟ ଜନତା ପାର୍ଟି ଓ ଏକନାଥ ସିନ୍ଧେ ଗୋଷ୍ଠୀର ବିଧାୟକଙ୍କ ସହ ଆଲୋଚନା କରିବେ । ଅପରାହ୍ନରେ ମୁର୍ମୁ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ । ପ୍ରାୟ 2.30ରେ ସେ ମୁମ୍ବାଇରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିବେ ।
ସହରର ଏକ ପଞ୍ଚତାରକା ହୋଟେଲରେ ଦୁଇ ଦଳର ବିଧାୟକଙ୍କ ସହ ମୁର୍ମୁଙ୍କ ବୈଠକ ନେଇ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସଙ୍କ ସମେତ ଉଭୟ ଦଳର ସମସ୍ତ ବିଧାୟକ ଉପସ୍ଥିତ ରହିବେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ସାରିଥିଲେ ସୁଦ୍ଧା ଆଜି କାର୍ଯ୍ୟକ୍ରମରେ ଉଦ୍ଧବ ଠାକରେଙ୍କ ସହ ମୁର୍ମୁଙ୍କର ସାକ୍ଷାତ ନେଇ କୌଣସି ସୂଚୀ ନାହିଁ ।