ନୂଆଦଲ୍ଲୀ:ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ବିବାଦରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ପାଇଁ ଅଡୁଆ କ୍ରମଶଃ ବଢିବାରେ ଲାଗିଛି । ସଂସଦରୁ ଆରମ୍ଭ ହୋଇ ସାରା ଦେଶରେ ପ୍ରତିବାଦ ସହ କଂଗ୍ରେସ କ୍ଷମା ମାଗିବା ପାଇଁ ଦାବି ଉଠିଲାଣି । ଏହାରି ମଧ୍ୟରେ ଅଧୀରଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି । ଘଟଣାରେ ଅଧୀରଙ୍କୁ ସମନ ଜାରି କରିଛି ଜାତୀୟ ମହିଳା କମିଶନ (NCW) । ଅଗଷ୍ଟ 3ତାରିଖ ପୂର୍ବାହ୍ନରେ ଆୟୋଗର ମହିଳା ପ୍ୟାନେଲ ସମ୍ମୁଖରେ ହାଜର ହୋଇ ଉତ୍ତର ରଖିବାକୁ କମିଶନ କହିଛି । ସେହିପରି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଉଚିତ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।
କେବଳ ଜାତୀୟ ମହିଳା କମିଶନ ନୁହନ୍ତି ବରଂ 13 ରାଜ୍ୟର ମହିଳା କମିଶନ ମଧ୍ୟ ବୟାନକୁ ନିନ୍ଦା କରିବା ସହ ଉଦବେଗ ପ୍ରକାଶ କରିଛନ୍ତି । ଏହି ସମସ୍ତ ପ୍ରାଦେଶିକ ମହିଳା କମିଶନ ଏକ ମିଳିତ ବିବୃତ୍ତି ଜାରି କରି ଅଧିରଙ୍କ ଏପରି ମନ୍ତବ୍ୟକୁ ନିନ୍ଦା କରଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ଅପମାନଜନକ ଏବଂ ଅପମାନିତ କରିବାର ପ୍ରୟାସ ବୋଲି ଏବି ମିଳିତ ବିବୃତ୍ତିରେ କହିଛନ୍ତି ।