ମୁମ୍ବାଇ:ନାଟକୀୟ ବିଦ୍ରୋହର ଗୋଟିଏ ଦିନ ପରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏନସିପି ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବାର ।NCPରୁ ବହିସ୍କୃତ ହେଲେ ଦୁଇ ବରିଷ୍ଠ ନେତା । ବିଦ୍ରୋହ କରି ଅଜିତ ପାଓ୍ବାରଙ୍କ ସହ ଏନଡିଏରେ ସାମିଲ ହୋଇଥିବା ଦୁଇ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେଙ୍କୁ NCPରୁ ବହିସ୍କୃତ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାଓ୍ବାର । ପାଓ୍ବାର ନିଜେ ଏନେଇ ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ବହିସ୍କୃତ କରାଯାଇଥିବା ଶରଦ ଉଲ୍ଲେଖ କରିଛନ୍ତି ।
ଉଭୟ ନେତା ଶରଦଙ୍କ ବେଶ ଘନିଷ୍ଠ ଥିଲେ । ଉଭୟ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବରେ ଥିବା ବେଳେ ନିକଟରେ ପ୍ରଫୁଲ୍ଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦେଇଥିଲେ ଶରଦ । ତେବେ ଅଜିତଙ୍କ ବିଦ୍ରୋହ ଓ ଦଳବଦଳ ଚର୍ଚ୍ଚା ପୂର୍ବରୁ ଲାଗିରହିଥିବା ବେଳେ ଶରଦଙ୍କ ଅନୁଗତ ପ୍ରଫୁଲ୍ଲଙ୍କ ସମ୍ପର୍କରେ ସେମିତି କିଛି ଚର୍ଚ୍ଚା ମଧ୍ୟ ନଥିଲା । ହେଲେ ପ୍ରଫୁଲ୍ଲ ଗତକାଲି ଅଜିତ ଗୋଷ୍ଠୀ ସହ ଏନଡିଏ ମିଶିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାରି ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇଥିଲେ ଶରଦ । ଆଜି ଉଭୟ ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେଙ୍କୁ ଦଳର ପ୍ରାଥମିକ ସଭ୍ୟପଦରୁ ବହିସ୍କୃତ କରିଛନ୍ତି ପାଓ୍ବାର ।
ଗତକାଲିର ନାଟକୀୟ ରାଜନୈତିକ ଘଟଣା ପରେ ଆଜି ମହାରାଷ୍ଟ୍ର କାଦାରର କର୍ମୀଙ୍କୁ ସମ୍ବୋଧିତ କରି ଶକ୍ତି ପ୍ରଦର୍ଶନ କରିଥିଲେ ଶରଦ । କହିଥିଲେ ଆମର କିଛି ନେତା ବିଜେପି ଦଳ ଭଙ୍ଗା ରଣନୀତିର ଶିକାର ହୋଇଗଲେ । ସେ ସିଧାସଳଖ ଅଜିତଙ୍କ ନାମ ନେଇନଥିଲେ । ବିଜେପି ଗଣତାନ୍ତ୍ରିକ ଦଳକୁ ଭାଙ୍ଗୁଛି, ଦେଶ ଓ ରାଜ୍ୟରେ ସାମାଜିକ ଭେଦଭାବ ସୃଷ୍ଟି କରି ବିଭାଜନ କରିବାକୁ ପ୍ରୟାସ ଜାରି ରଖିଛି । ଏହା ବିରୋଧରେ ଲଢେଇ ଜାରି ରହିବା ନେଇ ଶରଦ କହିଥିଲେ ।