ରାୟପୁର:ଛତିଶଗଡ କାଙ୍କେରରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ବିଏସଏଫ ଯବାନ ଶହୀଦ ହୋଇଛନ୍ତି । ପ୍ରତାପପୁର-ଟେକେରାପାରା ପାହାଡି କ୍ଷେତ୍ରରେ ଏହି ବିସ୍ଫୋରଣ ଘଟିଛି । ଯବାନମାନେ କମ୍ବିଂ ଅପରେସନ ଜାରି ରଖିଥିବା ବେଳେ ପୂର୍ବରୁ ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଶହୀଦ ଯବାନଙ୍କ ନାମ ଖିଳେଶ୍ବର ରାୟ ଓ ବିଏସଏଫ 47-ବାଟାଲିୟନରେ କାର୍ଯ୍ୟରତ ଥିଲେ । ଆଜି ସେ ସମ୍ପୃକ୍ତ ଅଞ୍ଚଳରେ ରୁଟିନ ସର୍ଚ୍ଚ ଅପରେସନରେ ବାହାରିଥିଲେ । ବିସ୍ଫୋରଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କାଙ୍କେର ଏସପି ଦିବ୍ୟାଙ୍ଗ ପଟେଲ ଏହି ଘଟଣାର ସୂଚନା ଦେବା ସହ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଇଥିବା କହିଛନ୍ତି । ଉକ୍ତ ଜଙ୍ଗଲକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।
ଗତକାଲି (ବୁଧବାର) ନାରାୟଣପୁର ଛୋଟେଡଙ୍ଗର ଏରିଆରେ ନକ୍ସଲମାନେ ଗୁଳି କରି ଜଣେ ଯବାନଙ୍କୁ ହତ୍ୟା କରିଥିଲେ । ଶହୀଦ ଯବାନଙ୍କ ନାମ କମଲେଶ ସାହୁ ଓ ସେ ଛତିଶଗଡ ଆର୍ମଡ ଫୋର୍ସରେ ନିୟୋଜିତ ଥିଲେ । ଏହା ପୂର୍ବରୁ ଉକ୍ତ ସ୍ଥାନରେ ଜଣେ ବିଜେପିର ସ୍ଥାନୀୟ ନେତାଙ୍କୁ ହତ୍ୟା କରିଥିଲେ ନକ୍ସଲ । ନିକଟରେ ଏକ ପୋଷ୍ଟର ଛାଡି ଖାଦନ ଦଲାଲି କଥା ମଧ୍ୟ ଉଲ୍ଲେଖ କରିଥିଲେ । ଏହା ପରେ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସୁରକ୍ଷା ବଢାଇବା ସହ ସର୍ଚ୍ଚ ଅପରେସନ ଓ ଚେକିଂକୁ କଡାକଡି କରିଥିଲେ । ଏହି କାର୍ଯ୍ୟରେ ନିୟୋଜିତ ଥିଲେ କମଲେଶ । ତାଙ୍କୁ ଅତର୍କିତ ଗୁଳିମାଡ କରି ହତ୍ୟା କରିଥିଲେ ନକ୍ସଲ । ଆଜି ପୁଣି କାଙ୍କେର ନିକଟବର୍ତ୍ତୀ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଛନ୍ତି ।