ରାୟପୁର:ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାର ଭାଂସୀ-ବଚେଲି ଅଞ୍ଚଳ ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ ଉପରେ ନକ୍ସଲମାନେ ଆକ୍ରମଣ କରିଛନ୍ତି । ଟ୍ରେନକୁ ସେମାନେ 45 ମିନିଟ ଅଟକାଇ ରଖି 26 ଏପ୍ରିଲ ସେମାନଙ୍କ ଦ୍ବାରା ଭାରତ ବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ଯାତ୍ରୀଙ୍କ ନିକଟରେ ଦାବି କରିଥିଲେ । ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ବେଳେ ସେମାନେ ଟ୍ରେନ ଭିତରେ ବନ୍ଦକୁ ସମର୍ଥନ କରିବା ପାଇଁ ପୋଷ୍ଟର ଲଗାଇଥିବା ଜଣାପଡିଛି ।
ନକ୍ସଲମାନେ ଟ୍ରେନକୁ ଅଟକାଇବା ସମୟରେ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇନଥିବା ବେଳେ ଜଙ୍ଗଲ ମଧ୍ୟରେ ଟ୍ରେନକୁ ଅଟକାଇଥିଲେ ବୋଲି ଦନ୍ତେୱାଡାର ଏସପି ସୂଚନା ଦେଇଛନ୍ତି । ନକ୍ସଲଙ୍କ ନିକଟରେ ୱାକି-ଟକି ରହିଥିଲା ବୋଲି ପୋଲିସ କହିଛି । ସେପଟେ ନକ୍ସଲମାନେ ଟ୍ରେନର ଗୋଟିଏ ଇଞ୍ଜିନ ଓ ବଗିକୁ କ୍ଷତି ପହଞ୍ଚାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଘଟଣାର ତଦନ୍ତ ପାଇଁ ସୁରକ୍ଷା କର୍ମୀଙ୍କୁ ସେଠାକୁ ପଠାଯାଇଛି ବୋଲି ଏସପି କହିଛନ୍ତି ।