ନୂଆଦିଲ୍ଲୀ: ନୌସେନା ଜାହାଜରୁ ସଫଳତାର ସହ ପରୀକ୍ଷଣ ହେଲା ବ୍ରହ୍ମୋସ କ୍ରୁଜ୍ କ୍ଷେପଣାସ୍ତ୍ରର ଦୂରଗାମୀ ସଂସ୍କରଣ । ପରୀକ୍ଷଣର ସଫଳତା ନେଇ ନୌସେନା ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ବ୍ରହ୍ମୋସର ଦୂରଗାମୀ ସଂସ୍କରଣର ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଜାହାଜରୁ ଉତକ୍ଷେପଣ ହୋଇ ଥିବାବେଳେ ସଠିକତାର ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିଥିବା ନୌସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ହେଲିକପ୍ଟରରୁ ଉତ୍ତୋଳନ କରାଯାଇଥିବା ପରୀକ୍ଷଣ ସମୟର ଏକ ଭିଡିଓ ମଧ୍ୟ ଟ୍ବିଟ ମାଧ୍ୟମରେ ସେୟାର କରିଛି ନୌସେନା । ଯେଉଁଥିରେ ଉତକ୍ଷେପଣ ପରେ କ୍ଷେପଣାସ୍ତ୍ରଟି ଦିଗ ବଦଳାଇ ନିଜ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିବା ଦେଖିବାକୁ ମିଳିଛି । ଆଜି ଏହାର ନୌସେନା ଜାହାଜରୁ ସଫଳ ପରୀକ୍ଷଣ ହୋଇଥିବା ବେଳେ ଏହାର ଏୟାର ଭର୍ସନକୁ ୨୦୧୭ରେ ବାୟୁସେନାର ଲଢୁଆ ବିମାନ ସୁଖୋଇ-30ରୁ ସଫଳତାର ସହ ପରୀକ୍ଷଣ କରିସାରିଛି DRDO ।