ଓଡିଶା

odisha

ETV Bharat / bharat

Road Rage case: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ, ମନା କଲେ କୋର୍ଟ - ଆତ୍ମସମର୍ପଣ କରିବେ ସିଦ୍ଧୁ

ରୋଡ ରେଜ୍ ମାମଲାରେ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ସିଦ୍ଧୁ । ହେଲେ ମିଳିଲାନି ଆଶ୍ବସ୍ତି । ଅଧିକ ପଢନ୍ତୁ

Road rage case: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ, ମନା କଲେ କୋର୍ଟ
Road rage case: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ, ମନା କଲେ କୋର୍ଟ

By

Published : May 20, 2022, 9:53 AM IST

Updated : May 20, 2022, 1:02 PM IST

ଚଣ୍ଡିଗଡ: ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁଣି ବଡ ଝଟକା । ଆତ୍ମସମର୍ପଣ ପାଇଁ ସମୟ ଦେବାକୁ ସିଦ୍ଧୁଙ୍କୁ ମନା କଲେ କୋର୍ଟ । ନିଜର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଂଗ୍ରେସ ନେତା ସିଦ୍ଧୁ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଥିଲେ । ହେଲେ ତାଙ୍କୁ କୋର୍ଟରୁ ଆଶ୍ବସ୍ତି ମିଳିନାହିଁ । କହିରଖୁଛୁ କି, ଆଜି ଦିନ 10ଟା ସମୟରେ ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା । ସିଦ୍ଧୁଙ୍କ ସହ କୋର୍ଟରେ ପହଞ୍ଚିବାକୁ ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ପଟିଆଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ନିବେଦନ କରିଥିଲେ । କିନ୍ତୁ ସେ ସୁପ୍ରିମକୋର୍ଟଙ୍କୁ ଆତ୍ମସମର୍ପଣ ପାଇଁ କିଛି ସମୟ ମାଗିଥିଲେ । ହେଲେ ସମୟ ଦେବାକୁ କୋର୍ଟ ମନା କରିଦେଇଛନ୍ତି ।

ଦୀର୍ଘ 34 ବର୍ଷ ପୂର୍ବେ ରୋଡ ରେଜ୍ ମାମଲାରେ ଗତକାଲି(ଗୁରୁବାର) ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ସିଦ୍ଧୁଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଜେଲ୍ ଦଣ୍ଡାଦେଶ ମିଳିବା ପରେ ତାଙ୍କ ସୁରକ୍ଷା ଫେରାଇ ନେବାକୁ ଆଦେଶ ଜାରି ହୋଇଛି । ତାଙ୍କୁ ପାଖାପାଖି 45 ପୋଲିସ କର୍ମୀଙ୍କ ସୁରକ୍ଷା ମିଳୁଥିଲା, ଯାହାକି ଏବେ ଫେରାଇ ନିଆଯିବ । ସୁପ୍ରିମକୋର୍ଟଙ୍କ ଜେଲ୍ ଦଣ୍ଡାଦେଶକୁ ନେଇ କଂଗ୍ରେସ ନେତା ସିଦ୍ଧୁ ଟ୍ବିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । କୋର୍ଟଙ୍କ ରାୟକୁ ସେ ଗ୍ରହଣ କରିଥିବା ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ, 34 ବର୍ଷ ପୂର୍ବେ ରାସ୍ତା ଉପରେ ଜଣେ ବୃଦ୍ଧଙ୍କୁ ମାଡ ମାରି ଘଟଣାସ୍ଥଳରୁ ଫେରାର ହେବା ଓ ପରେ ସମ୍ପୃକ୍ତ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ନେତା ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜଷ୍ଟିସ ଏ ଏମ.ଖାନୱିଲକର ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । 2018 ମସିହାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି 3 ବର୍ଷର ସଜ୍ଜା ଶୁଣାଇଥିଲେ । ହେଲେ ସୁପ୍ରିମକୋର୍ଟ କେବଳ ଜୋରିମାନା ଦଣ୍ଡାଦେଶ ଦେଇ ଛାଡିଦେଇଥିଲେ ।

ପୀଡିତଙ୍କ ପରିବାର ମାମଲାର ପୁନଃ ବିଚାର ତଥା ଦଣ୍ଡାଦେଶ ବଢାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ 25ରେ ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ସଂରକ୍ଷିତ କରାଯାଇଥିଲା । ଗୁରୁବାର ସୁପ୍ରିମକୋର୍ଟ ଶୁଣାଣିରେ ନିଜ ରାୟରେ ପରିବର୍ତ୍ତନ କରି ସିଦ୍ଧୁଙ୍କ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 20, 2022, 1:02 PM IST

ABOUT THE AUTHOR

...view details