ନୂଆଦିଲ୍ଲୀ: ପ୍ରକୃତିର କରାଳ ରୂପକୁ ଅନେକ ଥର ନିଜ ଆଖିରେ ଦେଖିଛି ଦେବଭୂମି ଉତ୍ତରାଖଣ୍ଡ । କେତେ ବେଳେ ବନ୍ୟା ତ କେତେବେଳେ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ଭୟକୁ ଛାତିରେ ଜାବୁଡି ଧରି ଜୀବନ ବଞ୍ଚୁଛନ୍ତି ଏଠାକାର ଜନସାଧାରଣ । ଏହାରି ଭିତରେ ପୁଣି ପ୍ରକୃତି କାଳ ସାଜି ଦେବଭୂମିରେ ରଚିଛି ମୃତ୍ୟୁର ତାଣ୍ଡବ ।
ରବିବାର ଋଷିଗଙ୍ଗାର ଉପର ମୁଣ୍ଡରେ ହିମ ସ୍ଖଳନ ଯୋଗୁଁ ଦେବଭୂମିରେ ଦେଖିବାକୁ ମିଳିଛି ଜଳ ପ୍ରଳୟ । ଘଟଣାରେ ପାଖାପାଖି 10 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ପାଖାପାଖି 150 ଜଣ ନିଖୋଜ ରହିଛନ୍ତି । ହିମସ୍ଖଳନ ଯୋଗୁଁ ଋଷି ଗଙ୍ଗା ଓ ଧୌଳି ଗଙ୍ଗା ସଙ୍ଗମ ସ୍ଥଳରେ ଅବସ୍ଥିତ ଋଷି ଗଙ୍ଗା ସ୍ଥିତ ରୈଣୀ ଗାଁ ନିକଟରେ ଥିବା ଋଷି ଗଙ୍ଗା ଜଳବିଦ୍ୟୁତ ପ୍ରୋଜେକ୍ଟରେ ହୋଇଛି ବ୍ୟାପକ କ୍ଷୟକ୍ଷତି ।
2013ରେ ଉତ୍ତରାଖଣ୍ଡ ମହାପ୍ରଳୟ ପରେ କ୍ଷୟକ୍ଷତିର ଚିହ୍ନ ଏବେ ବି ଲିଭିନଥିବା ବେଳେ ପୁଣି ପ୍ରାକୃତିକ ବିପର୍ଯ୍ୟୟ ଦେବଭୂମି ସମେତ ସାରା ଭାରତବର୍ଷକୁ ସ୍ତବ୍ଧ କରିଦେଇଛି । ତେବେ ଆସନ୍ତୁ ଜାଣିବା 3 ଦଶନ୍ଦି ମଧ୍ୟରେ ଦେବଭୂମିରେ ଆସିଥିବା ମହାପ୍ରଳୟ ବିଷୟରେ...
1991 ଉତ୍ତରକାଶୀ ଭୂମିକମ୍ପ
1991, ଅବିଭାଜିତ ଉତ୍ତରପ୍ରଦେଶକୁ ଥରାଇଦେଇଥିଲା 6.8 ତୀବ୍ରତାର ଭୂମିକମ୍ପ । ଏହି ଭୂମିକମ୍ପରେ 700ରୁ ଊର୍ଦ୍ଧ୍ବ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଘର ମାଟିରେ ମିଶିଯାଇଥିଲା ।
1998 ମାଲ୍ପା ଭୂସ୍ଖଳନ
ଭୂସ୍ଖଳନ ଯୋଗୁଁ ନଷ୍ଟ ହୋଇଯାଇଥିଲା ପିଥୋରାଗଡ ଜିଲ୍ଲାର ଛୋଟିଆ ଗାଁ ମାଲ୍ପା । ଏହି ଘଟଣାରେ 55 କୈଲାସ ମାନସରୋବର ଶ୍ରଦ୍ଧାଳୁଙ୍କ ସମେତ 255 ଜଣଙ୍କର ମୃତ୍ୟୁ ହୋଇଥିଲା ।
1999 ଚମୋଲି ଭୂମିକମ୍ପ
ଚମୋଲି ଜିଲ୍ଲାରେ 6.8 ତୀବ୍ରତାର ଭୂମିକମ୍ପ ଯୋଗୁଁ 100ରୁ ଊର୍ଦ୍ଧ୍ବ ଜଣ ପ୍ରାଣ ହରାଇଥିଲେ । ପଡୋଶୀ ଜିଲ୍ଲା ଋଦ୍ରପ୍ରୟାଗରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି । ଭୂମିକମ୍ପ ଯୋଗୁଁ ରାସ୍ତାରେ ସୃଷ୍ଟି ହୋଇଥିଲା ବଡ ବଡ ଫାଟ ।
2013 ଉତ୍ତରଭାରତ ବନ୍ୟା
ଜୁନ 16, 2013 । ଯେଉଁ ଦିନ ଉତ୍ତରାଖଣ୍ଡକୁ ମାଡି ଆସିଥିଲା ଘୋର ବିପଦ । ଆଖି ପିଛୁଳାକେ ଧ୍ୱଂସ ହୋଇଗଲା ସମଗ୍ର ଅଞ୍ଚଳ । ସେହି ଦିନକୁ କେହି ଚାହିଁଲେ ବି ସହଜରେ ଭୁଲି ପାରିବେ ନାହିଁ । ବର୍ଷା ଦ୍ବାରା ଘଟିଥିବା ଦୁଃଖଦ ଘଟଣା ଉତ୍ତରାଖଣ୍ଡର ସବୁଆଡେ ବିପର୍ଯ୍ୟୟର ଚିହ୍ନ ଛାଡି ଦେଇଥିଲା । ଯାହାକୁ ସଜାଡିବାକୁ ଅନେକ ବର୍ଷ ଲାଗିଗଲା। ଏବେ ମଧ୍ୟ କିଛି ସ୍ଥାନ ଅସଜଡା ଅବସ୍ଥାରେ ରହିଛି ।
ଏହି ପ୍ରଳୟରେ ଯାଇଥିଲା 4400 ଜୀବନ । 4200ରୁ ଅଧିକ ଗାଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏଥିରେ 11091 ଗୋରୁଙ୍କର ମୃତ୍ୟୁ ଘଟିଛି ଏବଂ 991 ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଛି । ପ୍ରଳୟରେ ଉଜୁଡିଯାଇଥିଲା 1309 ହେକ୍ଟର ଚାଷ ଜମି । 2141 କୋଠା ପ୍ରଳୟଙ୍କାରୀ ବନ୍ୟାରେ ଅଦୃଶ୍ୟ ହୋଇଯାଇଥିଲା । କେବଳ 4 ହଜାର 700 ଯାତ୍ରୀ ଭଗବାନ କେଦାରନାଥଙ୍କ ମନ୍ଦିରରେ ଫସି ରହିଥିଲେ । 9000 ଲୋକଙ୍କୁ ସେନା ଦ୍ୱାରା ଉଦ୍ଧାର କରାଯାଇଥିଲା । ପୋଲିସ ଦ୍ୱାରା 30 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 644ଟି କଙ୍କାଳ ମିଳିଛି ।