ହାଇଦ୍ରାବାଦ: ସୃଷ୍ଟିର ସର୍ଜନା ପାଇଁ ନାରୀର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ପରିବାରରେ ଝିଅଟିଏ ଜନ୍ମ ନେଲେ କୁହାଯାଏ ଘରକୁ ସାକ୍ଷାତ ଲକ୍ଷ୍ମୀ ଆସିଛନ୍ତି । କନ୍ୟାସନ୍ତାନ ପିତାମାତାଙ୍କ ସୁଖ, ସମୃଦ୍ଧି ବଢାଇବା ଘରକୁ ସ୍ବର୍ଗରେ ପରିଣତ କରିଦିଏ । ବିବାହ କରି ଜନ୍ମ କରିଥିବା ପିତାଙ୍କୁ ଦିଏ ମହାପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ । କେବେ ଝିଅ, କେବେ ସ୍ତ୍ରୀ ତ କେବେ ମା’ ରୂପ ଧାରଣ କରି ପ୍ରତି କ୍ଷେତ୍ରରେ ପୁରୁଷର ଛାଇ ହୋଇ ରହିଥାଏ । ଆଉ ସମସ୍ତଙ୍କ କଷ୍ଟ ଲାଘବ କରିବା ସହ ସେ ଦୁହିତା ‘ଦୁଇ କୁଳକୁ ହିତା’ ବୋଲାଇଥାଏ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ବାଳିକାମାନେ ନିଜ ସ୍ବପ୍ନ ପୂରା କରିବା ପାଇଁ ପ୍ରତ୍ୟେକ ଦିନ ନିଜ ସୀମା ଲଙ୍ଘି ଦେଶକୁ ଗର୍ବିତ କରୁଛନ୍ତି ତାଙ୍କ ପାଇଁ ଦିନଟି ଉତ୍ସର୍ଗୀକୃତ କରିବା । ସେମାନଙ୍କ ବାଟରେ ଥିବା ସମସ୍ତ ପ୍ରତିବନ୍ଧକ ହଟାଇବାକୁ ସଂକଳ୍ପ କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଜାତୀୟ କନ୍ୟା ସନ୍ତାନ ଦିବସରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ଦେଶର ଝିଅଙ୍କୁ କରିଛନ୍ତି ସଲାମ । କେନ୍ଦ୍ର ସରକାର ଶିକ୍ଷା,ସ୍ବାସ୍ଥ୍ୟ କ୍ଷେତ୍ରରେ ଝିଅଙ୍କୁ ସଶକ୍ତ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଆଜି ସାରା ଦେଶ ଜାତୀୟ କନ୍ୟା ସନ୍ତାନ ଦିବସ ପାଳୁଛି ସତ ହେଲେ ଅନେକ ସ୍ଥାନରେ ଅଲୋଡା ସାଜିଛି ଝିଅ । ଶିଶୁ କନ୍ୟା ସୁରକ୍ଷା ଓ ବିକାଶ ପାଇଁ ପ୍ରୟାସ ଜାରି ରହିଥିବାବେଳେ ପ୍ରତି ମୂହୁର୍ତ୍ତରେ ଯୌନ ଶୋଷଣର ଶିକାର ହେଉଛି ଜଣେ କନ୍ୟା । ଭାରତରେ ପ୍ରତିବର୍ଷ ଜାନୁଆରୀ 24ରେ ପାଳନ କରାଯାଏ ଜାତୀୟ ବାଳିକା ଶିଶୁ ଦିବସ । 2008ରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି ଦିବସ ପାଳନ ହୋଇଆସୁଛି । ଏହାର ଉଦ୍ଦେଶ୍ୟ ହେଉଛି ଭାରତର ବାଳିକାମାନଙ୍କୁ ସହାୟତା ଏବଂ ସୁଯୋଗ ଯୋଗାଇବା। ଏହାସହ ବାଳିକା ଶିଶୁର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ବାଳିକା ଶିକ୍ଷାର ଗୁରୁତ୍ତ୍ବ, ସେମାନଙ୍କର ସ୍ବାସ୍ଥ୍ୟ ଏବଂ ପୋଷଣ ଉପରେ ସଚେତନତା ସୃଷ୍ଟି କରାଯିବା ଏହାର ଲକ୍ଷ୍ୟ ।