ହାଇଦ୍ରାବାଦ: ହାଇଦ୍ରାବାଦରେ ଭାଇଚାରାର ଅନନ୍ୟ ନିଦର୍ଶନ । ସର୍ବ ଧର୍ମ ସମନ୍ବୟର ଦେଶ ଭାରତ । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତ୍ବ । ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ସମସ୍ତ ଭାଇ ଭାଇ । ବିଗତ ଦିନରେ ଦେଶରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଭାରତର ଏହି ଛବିକୁ ସାମାନ୍ୟ ମଳିନ କରିଥିବା ବେଳେ ଏବେ ପୁଣିଥରେ ଭାଇଚାରା ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଏଠାରେ ଜଣେ ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରିଛନ୍ତି(Muslim man installs Ganesh idol) । ଏହି ବ୍ୟକ୍ତି ଜଣକ ହେଉଛନ୍ତି ହାଇଦ୍ରାବାଦର ମହମ୍ମଦ ସିଦ୍ଦିକି । ବର୍ତ୍ତମାନ ବିଭିନ୍ନ ମଣ୍ଡପରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାର୍ଚ୍ଚନା ଚାଲୁଥିବା ବେଳେ ହାଇଦ୍ରାବାଦ ନିବାସୀ ମହମ୍ମଦ ସିଦ୍ଦିକି ମଧ୍ୟ ଗଣେଶଙ୍କ ଆରଧନା କରିଛନ୍ତି । ଭକ୍ତି ଓ ବିଶ୍ବାସ ବ୍ୟତୀତ ଭଗବାନଙ୍କୁ ପୂଜା ପାଇଁ କୌଣସି ଜାତି ଧର୍ମର ଆବଶ୍ୟକ ନଥାଏ ବୋଲି ପ୍ରମାଣ କରି ଦେଖାଇଛନ୍ତି ସିଦ୍ଦିକି ।
ହାଇଦ୍ରାବାଦ ରାମ ନଗରରେ(Ram Nagar) ମହମ୍ମଦ ସିଦ୍ଦିକିଙ୍କ ଘର । ଚଳିତ ବର୍ଷ ସେ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ପ୍ରଭୂ ଗଜାନନଙ୍କ ପୂଜା ପାଇଁ ଆକର୍ଷଣୀୟ ମଣ୍ଡପ ତିଆରି କରି ସେଠାରେ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ପୁଷ୍ପମାଳ ସହ ଚିକ୍ମିକ୍ ଲାଇଟରେ ସେ ପୁରା ମଣ୍ଡପକୁ ସଜାଇଥିଲେ । ତେବେ କେବଳ ଏ ବର୍ଷ ନୁହେଁ, ଦୀର୍ଘ ୧୮ ବର୍ଷ ହେଲାଣି ସେ ଗଣେଶ ପୂଜା କରିଆସୁଛନ୍ତି । ' ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକାଠି ରହିବା ଉଚିତ୍' ବାର୍ତ୍ତା ଦେବାକୁ ସେ ଗଜାନନଙ୍କ ପୂଜା କରୁଛନ୍ତି ବୋଲି କହିଛନ୍ତି ମହମ୍ମଦ ସିଦ୍ଦିକି ।