ଓଡିଶା

odisha

By ETV Bharat Odisha Team

Published : Dec 11, 2023, 4:02 PM IST

ETV Bharat / bharat

ପୁଅର ପ୍ରେମ ପାଇଁ ମା’ ଉପରେ ଅମାନବୀୟ ଅତ୍ୟାଚାର; ରାସ୍ତାରେ ଉଲଗ୍ନ କରି ଚଳାଇଲେ, ଖୁଣ୍ଟରେ ବାନ୍ଧି ମାଡ

Mother punished for son's Love issue in karnataka: କର୍ଣ୍ଣାଟକରେ ଏକ ସ୍ପର୍ଶକାତର ଘଟଣା ଘଟିଛି । ପୁଅ ପ୍ରେମ କରୁଥିବାରୁ ମାଆ ଉପରେ ଅମାନବୀୟ ଅତ୍ୟାଚାର । ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଳାଇବା ସହ ଖୁଣ୍ଟରେ ବାନ୍ଧି ମାଡ ମରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

Mother punished for son's Love issue in karnataka
ରାସ୍ତାରେ ଉଲଗ୍ନ କରି ଚଳାଇବା ସହ ଖୁଣ୍ଟରେ ବାନ୍ଧି ମାଡ

ବେଙ୍ଗାଲୁରୁ:ପୁଅ ପ୍ରେମରୁ ମାଆ ଉପରେ ଅକଥନୀୟ ଅତ୍ୟାଚାର । ରାସ୍ତାରେ ଉଲଗ୍ନ କରି ଚଲାଇବା ସହ ଖୁଣ୍ଟରେ ବାନ୍ଧି ମାଡ ମାରିଲେ ଗ୍ରାମବାସୀ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କର୍ଣ୍ଣାଟକର ବେଲଗାମ ଅଞ୍ଚଳରେ । ଆହତ ଅବସ୍ଥାରେ ମହିଳା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଘଟଣାରେ 7 ଜଣଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି । ଏଭଳି ଘଟଣାକୁ କଡା ନିନ୍ଦା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କର୍ଣ୍ଣାଟକ ଗୃହମନ୍ତ୍ରୀ ବେଲଗାମ ହସ୍ପିଟାଲରେ ମହିଳାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ଅତି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, କର୍ଣ୍ଣାଟକର ବେଲଗାମ ଅଞ୍ଚଳରେ ଜଣେ 24 ବର୍ଷୀୟ ଯୁବକ ଅନ୍ୟଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ତେବେ କୌଣସି ଯୁବକ ଜଣଙ୍କ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲେ । ଏହାକୁ ନେଇ ଯୁବତୀଙ୍କ ଘର ଲୋକେ ଯୁବକଙ୍କ ମାଆ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି । ତାଙ୍କୁ ରାସ୍ତାରେ ଉଲଗ୍ନ କରି ଚଳାଇବା ସହ ଏକ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଘରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି ।

ତେବେ ପୋଲିସ ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରୁ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ବେଲଗାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଆଲୋଡନ ଖେଳିଯାଇଛି ।

ଏହାମଧ୍ୟ ପଢନ୍ତୁ..ଝିଆରୀକୁ ପ୍ରେମ କରିବାରୁ ପ୍ରେମିକକୁ ହତ୍ୟା, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଅନ୍ୟପଟେ ଏହି ଅମାନବୀୟ ଘଟଣାକୁ ନେଇ ଗୃହମନ୍ତ୍ରୀ ଜି ପରମେଶ୍ୱର ପ୍ରତିକ୍ରିୟା ରଖିଛନ୍ତି। ଏହାପୂର୍ବରୁ ଗୃହମନ୍ତ୍ରୀ ବେଲଗାମ୍ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କରି ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ତାଙ୍କ ସହ ପୋଲିସ କମିଶନର ଏସ.ଏନ୍ ସିଦ୍ଧରମପ୍ପା, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ମଧ୍ୟ ମହିଳାଙ୍କୁ ଭେଟିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜି ପରମେଶ୍ୱର କହିଛନ୍ତି ଯେ, ପ୍ରେମ ବ୍ୟାପାରୁ ଏଭଳି ଘଟିଥିବା ଜଣାପଡିଛି । ମହିଳାଙ୍କର 24 ବର୍ଷୀୟ ପୁଅ ଜଣେ ମହିଳାଙ୍କୁ ପ୍ରେମ କରୁଥିବାରୁ ତାଙ୍କୁ ଘରୁ ନେଇ ପଳାଇଯାଇଥିଲେ । ଯେଉଁଥିରେ ଝିଅର ସମ୍ପର୍କୀୟ ପାଖାପାଖି 8ରୁ 10ଜଣ ବ୍ୟକ୍ତି ମହିଳାଙ୍କୁ ଏଭଳି ନିର୍ଯାତନା ଦେଇଛନ୍ତି । ମହିଳାଙ୍କୁ ଉଲଗ୍ନ କରି ଏକ ପୋଲରେ ବାନ୍ଧି ଦେଇଥିଲେ ।"

ସେ ଆଉ ମଧ୍ୟ କହିଛନ୍ତି, 'ପୋଲିସ ଏ ବିଷୟରେ ଜାଣିବା ପରେ ମହିଳାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ପୋଲିସ 7 ଜଣଙ୍କୁ ଗିରଫ କରିସାରିଛି । ଆଉ ଦୁଇ ଅଭିଯୁକ୍ତ ଫେରାର ରହିଥିବା ବେଳେ ପୋଲିସ ସେମାନଙ୍କୁ ଖୋଜୁଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।

ଅନ୍ୟପଟେ ଫେରାର ହୋଇଥିବା ଯୁବକ ଓ ଯୁବତୀଙ୍କୁ ମଧ୍ୟ ପୋଲିସ ଖୋଜୁଛି । ତେବେ ଏଭଳି ଘଟଣା ଘଟିବା ଉଚିତ ନୁହେଁ, ଯଦି ଏନେଇ ପୂର୍ବରୁ ପୋଲିସକୁ ଅଭିଯୋଗ କରାଯାଇଥାନ୍ତା ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା । ତେବେ ଘଟଣାସ୍ଥଳକୁ ଯାଇ ନିଜେ ଯାଞ୍ଚ କରିବେ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ତେବେ ଏହି ଅମାନବୀୟ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details