ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଗିରଫ କରିପାରିବ ପଞ୍ଜାବ ପୋଲିସ । ଆଜି (ମଙ୍ଗଳବାର) ପଞ୍ଜାବ ପୋଲିସର ଆବେଦନକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟଙ୍କ ଅନୁମତି ପରେ ତିହାର ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସକୁ କୌଣସି ମୁହୂର୍ତ୍ତରେ ଗିରଫ କରିପାରେ ପଞ୍ଜାବ ପୋଲିସ ।
ଗ୍ୟାଙ୍ଗଷ୍ଚାର ଲରେନ୍ସ ବିଷ୍ଣୋଇ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ସେ ହିଁ ଜେଲରେ ରହି ଏହି ହତ୍ୟାକାଣ୍ଡକୁ ତାର ଅନ୍ୟ ସହଯୋଗୀ ଗୋଲ୍ଡି ବରାର ମାଧ୍ୟମରେ ରୂପ ଦେଇଥିବା ପୋଲିସ ପ୍ରଥମ ଦିନରୁ ସନ୍ଦେହ କରି ଆସୁଛି । ତେବେ ଏକାଧିକ ରାଜ୍ୟର ପୋଲିସ ଏହି ମାମଲାର ତଦନ୍ତରେ ଅଂଶଗ୍ରହଣ କରିଛନ୍ତି । ହତ୍ୟାରେ ସମ୍ପୃକ୍ତ ଏକାଧିକ ସୁଟର ଓ ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଗିରଫ କରିସାରିଲେଣି, ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ପୋଲିସର ଏକାଧିକ ଟିମ ।