କୋପେନେଗେନ: ଡେନମାର୍କ ଗସ୍ତର ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଡେନମାର୍କ ମାଟିରୁ ୟୁକ୍ରେନ-ଋଷ ଯୁଦ୍ଧ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଯୁଦ୍ଧ ତୁରନ୍ତ ବନ୍ଦ କରାଯାଇ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ଦିଗରେ ଉଭୟ ପ୍ରତିଦ୍ବନ୍ଦୀ ଦେଶ ଆଗକୁ ବଢନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ପ୍ରତିପକ୍ଷ ତଥା ଡାନିସ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ ନରେନ୍ଦ୍ର ମୋଦିଙ୍କ ମତ ସହ ସ୍ବର ମିଳାଇବା ସହ ଭାରତ ଚାହିଁଲେ ଋଷକୁ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରଭାବିତ କରିବ ନେଇ ଆଶା ପ୍ରକଟ କରିଛନ୍ତି ।
ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁକ୍ରେନ-ଋଷ ସଙ୍କଟର ସମାଧାନ କେବଳ ଆଲୋଚନା ଟେବୁଲରେ ହିଁ ସମ୍ଭବ । ତେଣୁ ଉଭୟ ରାଷ୍ଟ୍ର ତୁରନ୍ତ ଯୁଦ୍ଧ ବନ୍ଦ ଘୋଷଣା କରିବା ସହ ସମାଧାନ ପାଇଁ କୂଟନୈତିକ ଆଲୋଚନାକୁ ବାଛନ୍ତୁ ।