ଓଡିଶା

odisha

By

Published : Feb 19, 2023, 11:00 PM IST

ETV Bharat / bharat

ଗୋଷ୍ଠୀ ସଂଘର୍ଷରୁ ବିଲ୍ଡିଂରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଣେ ମୃତ, ଏକାଧିକ ଗୁରୁତର

ପାଟନାରେ ଗୋଷ୍ଠୀ ସଂଘର୍ଷରୁ ବିଲ୍ଡିଂରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଜଣେ ମୃତ, ଏକାଧିକ ଗୁରୁତର । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ । ଅଧିକ ପଢନ୍ତୁ

ବିଲ୍ଡିଂରେ ନିଆଁ ଲଗାଇଦେଲେ ସଙ୍ଘବଦ୍ଧ ଦୁର୍ବୃତ୍ତ
ବିଲ୍ଡିଂରେ ନିଆଁ ଲଗାଇଦେଲେ ସଙ୍ଘବଦ୍ଧ ଦୁର୍ବୃତ୍ତ

ପାଟନା: ବିହାର ରାଜଧାନୀ ପାଟନା ଉପକଣ୍ଠରେ ଭିଡ ହିଂସାର କରୁଣ ପରିଣତି ଦେଖିବାକୁ ମିଳିଛି । ଏକ କୋଠାରେ ସଙ୍ଘବଦ୍ଧ ଦୁର୍ବୃତ୍ତ ନିଆଁ ଲଗାଇଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ପାର୍କିଂ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଓ ହିଂସାତ୍ମକ ସଂଘର୍ଷ ଘଟିବା ପରେ ଗୋଟିଏ ଗୋଷ୍ଠୀର ବେକାବୁ ଦୁର୍ବୃତ୍ତମାନେ ଏପରି କାଣ୍ଡ ଭିଆଇଥିବା ସୂଚନା ମିଳିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ସୂଚନା ଅନୁସାରେ, ଏହି ଘଟଣା ପାଟନା ଜିଲ୍ଲାର ଜେଥୁଲି ଗାଁରେ ଘଟିଛି । ପାର୍କିଂ ବିବାଦକୁ ନେଇ ସ୍ଥାନୀୟ ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ପରେ ଏହି ବିବାଦ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା । ପରସ୍ପରର ଆକ୍ରମଣରେ ଉଭୟ ଗୋଷ୍ଠୀର ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀର ଏକ କୋଠାରେ ନିଆଁ ଲଗାଇଦେଇଥିଲେ । ଏହି କୋଠାରେ ମୋଟ କେତେ ଜଣ ଥିଲେ ପୋଲିସ ସେ ନେଇ କୌଣସି ସୂଚନା ଦେଇନାହିଁ । ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ସମ୍ପର୍କରେ କୌଣସି ସବିଶେଷ ସୂଚନା ମଧ୍ୟ ମିଳିପାରନି । ଆହତମାନଙ୍କୁ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଗୁରୁତର ମଧ୍ୟ ରହିଥିବା ପ୍ରାଥମିକ ଭାବେ ଜଣାପଡିଛି ।

ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟମାନେ ଫେରାର ଅଛନ୍ତି । ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଓ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ସ୍ଥାନୀୟ ବରିଷ୍ଠ ପୋଲିସ ଅଧୀକ୍ଷକ ମନଭଜିତ୍ ସିଂ ଧିଲନ୍ ସୂଚନା ଦେଇଛନ୍ତି । ନିଆଁ ଲଗାଇବାରେ ମୋଟ 3 ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସୂଚନା ପାଇଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । କୌଣସି ଅପ୍ରିତିକର ସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛି ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details