ଅହମ୍ମଦାବାଦ:ସୁରଟ ପୂର୍ବ ବିଧାନସଭା ଆସନରୁ ଆମ ଆଦମୀ ପାର୍ଟି (AAP) ଟିକେଟରେ ନାମାଙ୍କନ ଭରି ପରେ ନାଟକୀୟ ଢଙ୍ଗରେ ପ୍ରତ୍ୟାହାର କରି ଚର୍ଚ୍ଚାରେ ଥିବା କାଞ୍ଚନ ଜରିଓ୍ବାଲା ପୋଲିସ ସୁରକ୍ଷା ମାଗିଛନ୍ତି (Kanchan Jariwala seek police protection)। ତାଙ୍କ ଜୀବନ ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ସେ ପୋଲିସ ସୁରକ୍ଷା ମାଗିଛନ୍ତି । ମଙ୍ଗଳବାର ସଂଧ୍ୟାରୁ ସେ ହଠାତ ଅନ୍ତର୍ଧ୍ୟାନ ହୋଇଯାଇଥିବା ବେଳେ ତାଙ୍କୁ ଭାରତୀୟ ଜନତା ପାର୍ଟି ଦ୍ବାରା ଅପହରଣ କରାଯାଇଥିବା ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଥିଲା । ପରେ ସେ ଗତକାଲି (ବୁଧବାର) ହଠାତ ଆର୍ବିଭାବ ହେବା ସହ ସିଧା ସ୍ଥାନୀୟ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନିଜ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ସେ ତାଙ୍କ ବିବେକ ଅନୁସାରେ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିବା କହିବା ସହ AAP ବିଜେପି ବିରୋଧରେ ଆଣିଥିବା ଅପହରଣ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିଲେ ।
ତେବେ ସେ ସୁରକ୍ଷା ପାଇଁ ପୋଲିସ କମିଶନରଙ୍କୁ ଲେଖିଥିବା ଚିଠିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସିଧା କଂଗ୍ରେସ ପ୍ରାର୍ଥୀ ଅସଲମ ସାଇକିଲଓ୍ବାଲାଙ୍କ ନାମ ନେଇଛନ୍ତି । ତାଙ୍କୁ ଯଦି ପୋଲିସ ସୁରକ୍ଷା ପ୍ରଦାନ ନକରାଯାଏ, ତେବେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଅସଲମ ସାଇକିଲଓ୍ବାଲାଙ୍କ ସହଯୋଗୀ ହତ୍ୟା କରିପାରନ୍ତି ବୋଲି ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ଗତକାଲି ହଠାତ ନଜର ଆସି ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ପୁଣି କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି । ଗତକାଲିର ପ୍ରତ୍ୟାହାର ପରେ ତାଙ୍କୁ ଆଉ ଦେଖିବାକୁ ମିଳିନି ।