ନୂଆଦିଲ୍ଲୀ:ସଂସଦରେ ଉଠିଲା ପୂର୍ବତନ ସ୍ବାସ୍ଥ୍ଯମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣା । ବରିଷ୍ଠ ଭାଜପା ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ଆଜି(ସୋମବାର) ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାକୁ ଦୀର୍ଘ 15 ଦିନ ବିତିବାକୁ ବସିଥିବା ବେଳେ ହତ୍ୟାର କାରଣ ସ୍ପଷ୍ଟ କରିବାରେ କ୍ରାଇମବ୍ରାଞ୍ଚ ବିଫଳ । ତେଣୁ ଏହି ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI)କୁ ହସ୍ତାନ୍ତର କରିବା ପାଇଁ ସାଂସଦ ପୂଜାରୀ ଦାବି କରିଛନ୍ତି ।
ଲୋକସଭାରେ ସାଂସଦ ସୁରେଶ ପୂଜାରୀ କହିଥିଲେ,‘‘ଜାନୁଆରୀ 29 ରେ ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ଝାରସୁଗୁଡାରେ ଜଣେ ପୋଲିସ ଏଏସଆଇ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡକୁ 15 ଦିନ ବିତିଥିବା ବେଳେ ଏହାର କାରଣ ଖୋଜିବାରେ କ୍ରାଇମବ୍ରାଞ୍ଚ ବିଫଳ । ଓଡ଼ିଶା ସରକାର କେବଳ ଅଭିଯୁକ୍ତର ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ କେନ୍ଦ୍ରୀୟ ସହୟତା ନେଇଛନ୍ତି । ହେଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଦ୍ବାରା ତଦନ୍ତ କରାଇବା ପାଇଁ ଭୟ କରୁଛନ୍ତି ।’’
ଗତକାଲି(ଶନିବାର) ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଗୁଜୁରାଟର ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଶେଷ ହୋଇଛି । ଏଫଏସଏଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମାନସିକ ଅସୁସ୍ଥତା ପାଇଁ ନିୟମିତ ଔଷଧ ସେବନ କୁରଥିଲା । ଗତ କିଛି ମାସ ହେବ ସେ ଔଷଧ ସେବନ ନକରିବାରୁ ତାର ମାନସିକ ବିକୃତି ଆରମ୍ଭ ହୋଇଥିଲା । ଅସ୍ଥିରତା ବଢିବା କାରଣରୁ ସେଦିନ ସେ ସୁରକ୍ଷା ଦାୟିତ୍ବରେ ଥିବାବେଳେ ମନ୍ତ୍ରୀ ନବ ଦାସଙ୍କୁ ସର୍ଭିସ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିବା ନାର୍କୋ ଟେଷ୍ଟ ସମୟରେ ସ୍ବୀକାର କରିଛି । କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗୋପାଳର ନାର୍କୋ ଟେଷ୍ଟ ପରେ ତାକୁ ଓଡ଼ିଶା ଅଣାଯାଇଛି । ନାର୍କୋ ଟେଷ୍ଟ ଶେଷ ହୋଇଥିଲେ ସୁଦ୍ଧା ହତ୍ୟାକାଣ୍ଡ ପଛର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କ୍ରାଇମବ୍ରାଞ୍ଚ କିଛି ସ୍ପଷ୍ଟ କରିନାହିଁ ।