ହାଇଦ୍ରାବାଦ:ଶିକ୍ଷକତା ପରି ମହାନ ବୃତ୍ତିରେ ଲଜ୍ଜା । ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ କରୁଥିବା ଅଭିଯୋଗରେ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ । ମହାରାଷ୍ଟ୍ର କୋହ୍ଲାପୁରର ଏକ ବିଦ୍ୟାଳୟରେ ଏପରି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ଜଣେ ଛାତ୍ରୀ ନିଜ ଅଭିଭାବକଙ୍କୁ ଜଣାଇବା ପରେ ଏନେଇ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କୋହ୍ଲାପୁର ରାଧାନଗରୀ ତାଲୁକାରେ ଥିବା ଏକ ସ୍କୁଲରେ ଜଣେ ଇଂରାଜୀ ବିଭାଗର ଶିକ୍ଷକ ଜଣେ ଛାତ୍ରୀଙ୍କୁ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ଏକଥା ନିଜ ପିତାମାତାଙ୍କ ନିକଟରେ ଛାତ୍ରୀଜଣଙ୍କ ପ୍ରକାଶ କରିଥିଲା । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଭାବକ ଅଭିଯୋଗ କରିଥିଲେ । ପରେ ଅଭିଯୁକ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତାଙ୍କୁ ଉକ୍ତ ସ୍କୁଲରୁ ଅନ୍ୟତ୍ର ବଦଳି କରିଥିଲେ ଉପରିସ୍ଥ ଶିକ୍ଷା ଅଧିକାରୀ । ହେଲେ ପୀଡିତା ଛାତ୍ରୀଙ୍କ ପରିବାର ପରେ ଏନେଇ ଥାନାରେ ଦ୍ବାରସ୍ଥ ହେବା ପରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ।