ନୂଆଦିଲ୍ଲୀ: ମେକ୍ସିକୋ ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଏବ୍ରାର୍ଡ କାସାବୋନ(Marcelo Ebrard Casaubon) ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସେ ଆଜି(ବୁଧବାର) ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି । ମେକ୍ସିକୋର ବୈଦେଶିକ ମନ୍ତ୍ରୀ ଭାବେ ମାର୍ସେଲୋ ଏବ୍ରାର୍ଡଙ୍କ ଏହା ପ୍ରଥମ ଭାରତ ଯାତ୍ରା ଅଟେ । ଭାରତରେ ତାଙ୍କୁ ସ୍ବାଗତ କରି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ବିଟ୍ କରିଛନ୍ତି ଯେ, ମେକ୍ସିକୋ ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଭାରତ ଓ ମେକ୍ସିକୋ ମଧ୍ୟରେ ଚାଲିଥିବା ସହଯୋଗ ଏବଂ ଭାଗିଦାରୀକୁ ଆହୁରି ମଜବୁତ କରିବା ଉପରେ ଚର୍ଚ୍ଚା ହେବ ।
ଭାରତ ଗସ୍ତରେ ମେକ୍ସିକୋ ବୈଦେଶିକ ମନ୍ତ୍ରୀ - Marcelo Ebrard Casaubon arrives in India
ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମେକ୍ସିକୋ ବୈଦେଶିକ ମନ୍ତ୍ରୀ । ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ ଏବଂ ବିଶେଷ ଭାଗିଦାରୀକୁ ଆହୁରି ମଜବୁତ କରିବ କହିଲା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ
ମନ୍ତ୍ରଣାଳୟ କହିଛି, ମେକ୍ସିକୋ ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ଗସ୍ତ ଅବସରରେ ସେ ଏବଂ ଭାରତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଦ୍ବିପାକ୍ଷିକ ସମ୍ପର୍କର ବିସ୍ତୃତ ସମୀକ୍ଷା କରିବେ ଏବଂ ଦୁଇ ରାଷ୍ଟ୍ରର ହିତ ସମ୍ବନ୍ଧୀୟ ମୁଦ୍ଦା ଉପରେ ଆଲୋଚନା କରିବେ । ବର୍ତ୍ତମାନ ଲାଟିନ ଆମେରିକାରେ ମେକ୍ସିକୋ ଭାରତର ଦ୍ବିତୀୟ ସର୍ବବୃହତ ବାଣିଜ୍ୟିକ ଭାଗିଦାରୀ(trade partner) ଅଟେ ଏବଂ ୨୦୨୧-୨୨ ବର୍ଷ ପାଇଁ ଭାରତ ସହ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ମଧ୍ୟ ଅଟେ । ଗତବର୍ଷ ସେପ୍ଟେମ୍ବରରେ ଜୟଶଙ୍କର ମେକ୍ସିକୋ ସିଟି ଯାତ୍ରା କରିଥିଲେ । ଭାରତ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପରେ ମେକ୍ସିକୋ ବୈଦେଶିକ ମନ୍ତ୍ରୀ ଏହି ଗସ୍ତ କରିଛନ୍ତି । ଏହି ଯିବାଆସିବା ଦୁଇ ରାଷ୍ଟ୍ର ମଧ୍ୟରେ ଭାଗିଦାରୀକୁ ଆହୁରି ସୁଦୃଢ କରିବ ବୋଲି କୁହାଯାଇଛି ।
@ANI