ଶ୍ରୀନଗର:ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ଆଜି ବଡଧରଣରୁ କାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଅନନ୍ତନାଗ ଜିଲ୍ଲାର ସଙ୍ଗମ ବିଜବେହାରା ନିକଟରେ ତାଙ୍କ ସ୍କର୍ପିଓ କାର ଏକ ଟ୍ରକ ସହ ଧକ୍କା ଖାଇଛି । ଏଥିରେ କାରଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ମୁଫତି ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।
ସ୍ଥାନୀୟ ସୂତ୍ର ଅନୁସାରେ, ମୁଫତିଙ୍କ ସହ ତାଙ୍କର କିଛି ସହଯୋଗୀ ଏହି କାରରେ ଯାତ୍ରା କରୁଥିଲେ । ଦୁର୍ଘଟଣାରେ କେବଳ ଡ୍ରାଇଭରଙ୍କ ଗୋଡରେ ଆଘାତ ଲାଗିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 64 ବର୍ଷୀୟା ମୁଫତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ସେ ଅନ୍ୟ ଏକ ଗାଡିରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲେ । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ କାରକୁ ଜବତ କରିଛି । ଏହି ଘଟଣାରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ନେତା ଓମାର ଅବଦୁଲ୍ଲା ତଦନ୍ତ ଦାବି କରିଛନ୍ତି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହା ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଓମାର ‘ଏକ୍ସ’ରେ ଟ୍ବିଟ କରିଛନ୍ତି ।