ହାଇଦ୍ରାବାଦ: ଆଜି (ରବିବାର) ଦିଲ୍ଲୀ ମହାନଗର ନିଗମ (Delhi municipal corporation poll ) ନର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ହେଲେ ରାଜଧାନୀବାସୀଙ୍କ ଠାରେ ମତାଧିକାର ସାବ୍ୟସ୍ତ କରିବାକୁ ନେଇ ସେତେଟା ଉତ୍ସାହ ପରିଲିକ୍ଷିତ ହୋଇନାହିଁ । ଅପରାହ୍ନ 4ଟା ସୁଦ୍ଧା ମାତ୍ର 45 ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅପରାହ୍ନ 2ଟା ସୁଦ୍ଧା ମାତ୍ର 30 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିଲା । ତେବେ 4 ଟା ସୁଦ୍ଧା ଏହି ହାର 45 ପ୍ରତିଶତକୁ ବୃଦ୍ଧି ପାଇଛି ।
ଆଜି ଦିଲ୍ଲୀ ମହାନଗର ନିଗମର ସମସ୍ତ 250 ଓ୍ବାର୍ଡ ପାଇଁ ମତଦାନ ହେଉଛି (Delhi municipal corporation poll )। ମତଦାନ ପ୍ରକ୍ରିୟା ସକାଳ 8ଟା ରୁ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା 5.30 ରେ ଶେଷ ହେବାକୁ ଯାଉଛି । ଭୋଟିଂ ଆରମ୍ଭରୁ ଦିଲ୍ଲୀବାସୀଙ୍କ ମଧ୍ୟରେ ମତଦାନକୁ ସେପରି ଉତ୍ସାହ ଦେଖିବାକୁ ମିଳି ନଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବାହ୍ନ 10.30 ଟା ଯାଏ ମାତ୍ର 9 ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ସେହିପରି ମଧ୍ୟାହ୍ନ 12 ଟା ସୁଦ୍ଧା ମାତ୍ର 18 ପ୍ରତିଶତ ଭୋଟିଂ, ଅପରାହ୍ନ 2 ଟା ସୁଦ୍ଧା 30 ପ୍ରତିଶତ ଭୋଟିଂ ଓ ବର୍ତ୍ତମାନର ଶେଷ ଅପଡେଟ ଅନୁସାରେ 4ଟା ସୁଦ୍ଧା ମାତ୍ର 45 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ଯାହା ସ୍ବାଭାବିକ ଭୋଟିଂ ପ୍ରତିଶତ ଠାରୁ କମ ।