ଭୋପାଳ:ଆଜି ସମାଜରେ ମନୁଷ୍ୟ ସ୍ବାର୍ଥପର ଦୁନିଆକୁ ଗତି କରି ଯାଉଛି । ଅସାମାଜିକ, ଅମାନୁଷିକ ଓ ଅସହିଷ୍ଣୁ ଭାବରେ ପୂରି ରହିଛି ମନୁଷ୍ୟ ସମାଜ । ହେଲେ ଏକ ଭିନ୍ନ ରୂପରେ ମାନବିକତାର ପରିଚୟ ଦେଇଛନ୍ତି ମଧ୍ୟ ପ୍ରଦେଶ ରାଜଗଡ଼ ଜିଲ୍ଲାର ଗ୍ରାମବାସୀ । ଏହି ଗାଁରେ ରହୁଥିବା ଗୋଟିଏ ମାଙ୍କଡ଼ର ମୃତ୍ୟୁ ହୋଇଯିବାରୁ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ହିନ୍ଦୁ ରୀତିନୀତି ଅନୁଯାୟୀ ତାର ଶେଷକୃତ୍ୟ ସମ୍ପନ୍ନ ମଧ୍ୟ କରିଥିଲେ ।
ମଧ୍ୟ ପ୍ରଦେଶ ରାଜଗଡ଼ ଜିଲ୍ଲାର ଡାଲୁପୁରା ଗ୍ରାମରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଡାଲୁପୁରା ଗ୍ରାମର ସରପଞ୍ଚ ଅର୍ଜୁନ ସିଂଙ୍କ କହିବା ଅନୁଯାୟୀ, ତାଙ୍କ ଗ୍ରାମକୁ ଏକ ମାଙ୍କଡ଼ଟିଏ ଆସି ରହୁଥିଲା । ଥଣ୍ଡା ବଢ଼ୁଥିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲା, ଯାହାଫଳରେ ସେହି ମାଙ୍କଡ଼ର ମୃତ୍ୟୁ ଘଟିଛି । ମାଙ୍କଡ଼ର ମୃତ୍ୟୁରେ ଗ୍ରାମବାସୀ ତାର ଅନ୍ତିମ ସଂସ୍କାର କରିଛନ୍ତି । ଏଥିସହ ହିନ୍ଦୁ ରୀତିନୀତି ଅନୁଯାୟୀ ଦଶାହ କର୍ମ ମଧ୍ୟ କରିଛନ୍ତି । ଏହି ଶୁଦ୍ଧିକ୍ରିୟାରେ ପ୍ରାୟତଃ ୧୧ହଜାର ଲୋକ ସାମିଲ ହୋଇଥିଲେ । ମାଙ୍କଡ଼ର ମୃତ୍ୟୁରେ ଗ୍ରାମବାସୀ ଦଶାହ କର୍ମ ସହ ରୀତିନୀତି ଆନୁଯାୟୀ ଏଗାର କର୍ମ ଓ ବାର କର୍ମ ମଧ୍ୟ ସମ୍ପନ୍ନ କରିଥିଲେ ।