ଚଣ୍ଡିଗଡ଼:ଆଜି ସମ୍ପ୍ରସାରିତ ହୋଇଛି ହରିୟାଣା ଖଟ୍ଟର ସରକାରଙ୍କ ମନ୍ତ୍ରୀମଣ୍ଡଳ । ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳରେ ଦୁଇ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ବିଜେପିର କମଲ ଗୁପ୍ତା ଏବଂ ଜନନାୟକ ଜନତା ପାର୍ଟି (JJP) ର ଦେବେନ୍ଦ୍ର ସିଂ ବାବଲି ନୂତନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମନୋହର ଲାଲ ଖଟ୍ଟରଙ୍କ ମୁଖ୍ୟମନ୍ତ୍ରୀତ୍ବରେ ଏହା ହେଉଛି ହରିୟାଣା କ୍ୟାବିନେଟର ଦ୍ୱିତୀୟ ସମ୍ପ୍ରସାରଣ । ରାଜ୍ୟପାଳ ବନ୍ଦୃ ଦତ୍ତାତ୍ରେୟ ନୂତନ ମନ୍ତ୍ରୀଙ୍କୁ ଏହି ଶପଥ ପାଠ କରାଇଛନ୍ତି ।
ଏହି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ଉପସ୍ଥିତ ଥିଲେ । ଏହି ସମ୍ପ୍ରସାରଣ ସହିତ ହରିୟାଣା କ୍ୟାବିନେଟର ମୋଟ ମନ୍ତ୍ରୀ ସଂଖ୍ୟା 14 କୁ ବୃଦ୍ଧି ପାଇଛି, ଯାହା ପୂର୍ବାପେକ୍ଷା ରାଜ୍ୟ ପାଇଁ ସର୍ବାଧିକ ମନ୍ତ୍ରୀ ବିଶିଷ୍ଟ କ୍ୟାବିନେଟ । ଏହା ପୂର୍ବରୁ ଗତକାଲି (ସୋମବାର) ଦିନ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ନେଇ ସୂଚନା ଦିଆଯାଇଥିଲ । ଆଜି (ମଙ୍ଗଳବାର) ଅପରାହ୍ନରେ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ସମାରୋହ ହେବା ନେଇ ସ୍ଥିର କରାଯାଇଥିବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଦୁଇ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।