ଓଡିଶା

odisha

ETV Bharat / bharat

Manipur violence: ଜଳିଛି 1700 ଘର, ପ୍ରାଣ ହରାଇଛନ୍ତି 60 - ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ

ମଣିପୁର ହିଂସା ନେଇ ପ୍ରେସମିଟ୍‌ କଲେ ମୁଖ୍ୟମନ୍ତ୍ରୀ ବିରେନ ସିଂ । ଜଳିଯାଇଛି 1700 ଘର, ପ୍ରାଣ ହରାଇଛନ୍ତି 60 ଜଣ । ଏବେ ମଧ୍ୟ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଶାନ୍ତି ବଜାୟ ରଖିବାକୁ ରାଜ୍ୟବାସୀଙ୍କୁ କଲେ ନିବେଦନ । ଅଧିକ ପଢନ୍ତୁ

Manipur violence: ଜଳିଛି 17ଶହ ଘର, ପ୍ରାଣ ହରାଇଛନ୍ତି 60
Manipur violence: ଜଳିଛି 17ଶହ ଘର, ପ୍ରାଣ ହରାଇଛନ୍ତି 60

By

Published : May 8, 2023, 10:07 PM IST

Manipur violence: ଜଳିଛି 17ଶହ ଘର, ପ୍ରାଣ ହରାଇଛନ୍ତି 60

ଇମ୍ଫାଲ:ମଣିପୁର ସାମ୍ପ୍ରଦାୟିକ ହିଂସାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରାୟ 60 ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ 17 ଶହ ଘରେ ନିଆଁ ଲଗାଯାଇଛି । 231 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରାୟ 20 ହଜାର ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସାରିଛି । ଏବେ ମଧ୍ୟ ପ୍ରାୟ 10 ହଜାର ଲୋକେ ରାଜ୍ୟର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଜାରି ରହିଥିବା ଆଜି ମୁଖ୍ଯମନ୍ତ୍ରୀ ଏନ.ବିରେନ ସିଂ ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ ରାଜଧାନୀ ଇମ୍ଫାଲରେ ମୁଖ୍ୟମନ୍ତ୍ରୀ ବିରେନ ସିଂ ହିଂସା ସମ୍ପର୍କିତ ପ୍ରେସମିଟ କରି ମୃତାହତ ଓ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଏହା ସହ ସେ ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ।

ମେ’ 3 ରୁ ଆରମ୍ଭ ହୋଇଥିବା ହିଂସା ସମ୍ପର୍କରେ ଏକାଧିକ ସମୀକ୍ଷା ବୈଠକ କରିସାରିଥିବା ମୁଖ୍ୟମନ୍ତ୍ରୀ ସିଂ ଆଜି ଏ ସମ୍ପର୍କରେ ପ୍ରଥମ ପ୍ରେସମିଟ୍‌ରେ ମୃତାହତ ଓ କ୍ଷୟକ୍ଷତି ସମ୍ପର୍କରେ ସୂଚନା ସ୍ପଷ୍ଟ କରିଛନ୍ତି । କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଫେରାଇବା ପାଇଁ ପ୍ରୟାସ କରନ୍ତୁ । ସମସ୍ତ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବା ଓ ସେମାନଙ୍କ ଘରକୁ ପଠାଇବା ଅପରେସନ ଜାରି ରହିଛି । ଆଶ୍ରୟସ୍ଥଳୀରେ ସେମାନଙ୍କ ପାଇଁ ସମସ୍ତ ଅତ୍ୟାବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦଙ୍ଗା ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ଉପରେ ନଜର ରଖିଛନ୍ତି । ଏକାଧିକ ଥର ତାଙ୍କ ସହ ଆଲୋଚନା ମଧ୍ୟ କରିସାରିଛନ୍ତି । ତାଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ଫୋର୍ସର ଏକାଧିକ ପ୍ଲାଟୁନ ମଧ୍ୟ ମଣିପୁରକୁ ପଠାଯାଇଥିବା କହିଛନ୍ତି ବିରେନ ସିଂ ।

ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ:-

ଏହି ଦଙ୍ଗା ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ପହଞ୍ଚି ସାରିଛି । ସର୍ବୋଚ୍ଚ କୋର୍ଟ ଏହି ହିଂସାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଉଭୟ କେନ୍ଦ୍ର ଓ ମଣିପୁର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ଓ ପୁନଃଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଉଭୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି 17 ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଧିରେ ଧିରେ ଫେରୁଛି ଶାନ୍ତି:-

ହିଂସାରେ ପ୍ରଭାବିତ ଉତ୍ତର-ପୂର୍ବ ମଣିପୁରରେ ଏବେ ଧିରେ ଧିରେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ସାଧାରଣ ଜୀବନଯାତ୍ରା ମଧ୍ୟ କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି । ଏବେ ମଧ୍ୟ ଇମ୍ଫାଲ ଭ୍ୟାଲି ସମେତ ରାଜ୍ୟର ଅନେକ ସମ୍ବେଦନଶୀଳ ସ୍ଥାନରେ କେନ୍ଦ୍ରୀୟ ଫୋର୍ସ ମୂତୟନ କରାଯାଇଛି । ଇଣ୍ଟରନେଟ ସେବା ମଧ୍ୟ ସ୍ବାଭାବିକ ହୋଇନାହିଁ । ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯିବା ସହ ସେମାନଙ୍କୁ ଘରକୁ ପଠାଯିବାକୁ ପ୍ରାଥମିକତା ଦିଆଯାଉଛି ।

କ’ଣ ହିଂସାର କାରଣ:-

ଉତ୍ତର-ପୂର୍ବ ମଣିପୁରର ମୋଟ ଲୋକସଂଖ୍ୟାର 53 ପ୍ରତିଶତ ଅଣ-ଆଦିବାସୀ ‘ମୈତେଇ ସମ୍ପ୍ରଦାୟ’ ନିଜକୁ ଅନୁସୂଚୀତ ଜାତି ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଆସୁଛି । ଏହି ମାମଲାରେ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ଏଥିରେ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ 4 ସପ୍ତାହ ମଧ୍ୟରେ ଅନୁଧ୍ୟାନ ଶେଷ କରି କେନ୍ଦ୍ରକୁ ରିପୋର୍ଟ ସୁପାରିଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚୀତ ଯାତ୍ରୀ ବର୍ଗରେ ସାମିଲ କରିବାକୁ ବିରୋଧ କରୁଛନ୍ତି ରାଜ୍ୟର ଆଦିବାସୀ ସମ୍ପ୍ରଦାୟ । ହାଇକୋର୍ଟଙ୍କ ରାୟ ଆସିବା ପରେ ଚୋରାଚାନ୍ଦପୁର ଜିଲ୍ଲାରେ ଆଦିବାସୀ ଛାତ୍ର ସଂଗଠନ Tribal Student Union Manipur (ATSUM) ପକ୍ଷରୁ 3 ତାରିଖରେ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଆଦିବାସୀ ଓ ମୈତେଇ ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିଲେ । ଏହି ଶୋଭାଯାତ୍ରାରେ ହିଁ ହିଂସାର ସୂତ୍ରପାତ ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details