ଇମ୍ଫାଲ:ଦୀର୍ଘ ପ୍ରାୟ 2 ମାସ ଧରି ଜଳୁଥିବା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ହିଂସା ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେନା ଓ ପାରା ମିଲିଟାରୀ ଫୋର୍ସ ଉଗ୍ରବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଉଗ୍ରବାଦୀଙ୍କ ଠିକଣା ଉପରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଭିନ୍ନ ସ୍ଥାନରେ ଉଗ୍ରବାଦୀଙ୍କର 12ଟି ବଙ୍କର (ସୁଡଙ୍ଗ)କୁ ସେନା ଓ ପାରା ଫୋର୍ସ ନଷ୍ଟ କରିଥିବା ଜଣାପଡିଛି । ତାମେଙ୍ଗଲଙ୍ଗ, ଇମ୍ଫାଲ-ଇଷ୍ଟ, ବିଷ୍ଣୁପୁର, କାଙ୍ଗପୋକପି, ଚୁରାଚାନ୍ଦପୁର ଏବଂ କାକଚିଂ ଜିଲ୍ଲାର ଉଭୟ ପାହାଡି ଏବଂ ଉପତ୍ୟକାରେ 12ଟି ବଙ୍କର ନଷ୍ଟ କରାଯାଇଥିବା ମଣିପୁର ପୋଲିସ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି ।
ଏହି ସବୁ ବଙ୍ଗରରୁ ଉଗ୍ରବାଦୀଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀ ଓ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି । ଏଥିରେ କେହି ଗିରଫ ହୋଇନାହାନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜାରି ରହିଥିବା କର୍ଫ୍ୟୁ ଉଲ୍ଲଙ୍ଘନ କରିବା, ଅସ୍ଥିରତାର ସୁଯୋଗ ନେଇ ଚୋରି ଡକାୟତି କରିବା ଓ ହିଂସା ସୃଷ୍ଟି କରିବା ପରି କାର୍ଯ୍ୟକଳାପ ଅଭିଯୋଗରେ ମୋଟ 135 ଜଣଙ୍କୁ ଗିରଫ କରାଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା 1,100 ମାରଣାସ୍ତ୍ର ,13,702 ଗୁଳିଗୋଳା ଓ 250 ବୋମା ମଧ୍ୟ କେନ୍ଦ୍ରୀୟ ଫୋର୍ସ ବିଭିନ୍ନ ଅପରେସନରେ ଜବତ କରିବାରେ ସଫଳ ହୋଇଛନ୍ତି । କେହି ଅସ୍ତ୍ରଶସ୍ତ୍ର ରଖିଥିଲେ ପୋଲିସ ନିକଟରେ ଜମା କରିବାକୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।