ନୂଆଦିଲ୍ଲୀ:ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ କେନ୍ଦ୍ର-ରାଜ୍ୟ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ହିଂସା ଥମିବାର ନାଁ ନେଉନାହିଁ । ଏହା ପଛରେ ବିଦେଶୀ ଆତଙ୍କୀ ସଂଗଠନର ହାତ ଥିବା ମଧ୍ୟ ଜଣାପଡିଛି । ବାଂଲାଦେଶ ଓ ମିଆଁମାର ସୀମାପାର ଆତଙ୍କବାଦୀ ସଂଗଠନଗୁଡିକ ମଣିପୁରରେ ଉଗ୍ରବାଦୀମାନଙ୍କୁ ହିଂସା ପାଇଁ ସହଯୋଗ କରୁଥିବା ସନ୍ଦେହ ମଧ୍ୟରେ ଆଜି ଜଣେ ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରାଯାଇଛି । ଏହି ଆତଙ୍କୀ ଦୁଇଟି ଦେଶର ଆତଙ୍କବାଦୀ ସଂଗଠନ ସହ ଯୋଗାଯୋଗରେ ଥିବା ମଧ୍ୟ ପ୍ରାଥମିକ ଭାବେ ଜଣାପଡିଛି । ଇନପୁଟ ସୂଚନା ଆଧାରରେ ଆଣ୍ଟି ଟେରର ଏଜେନ୍ସି (NIA)ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରିବା ପରେ ଜେରା ଜାରି ରଖିଛି ।
ଏନଆଇଏ ‘ଏକ୍ସ’ରେ ସୂଚନା ଦେଇ କହିଛି, ଗିରଫ ସନ୍ଦିଗ୍ଧ ଆତଙ୍କୀର ନାମ ସେଇମିନଲୁନ ଗଙ୍ଗତେ (Seiminlun Gangte) । ଜାରି ରହିଥିବା ହିଂସାକୁ ଅଧିକ ହିଂସକ କରିବା ଦିଗରେ ଏହି ସନ୍ଦିଗ୍ଧ ଜଣକ ଏକାଧିକ ବିଦେଶୀ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ଥିଲା । ବିଶେଷ ଭାବେ ମଣିପୁର ସୀମାକୁ ଲାଗିଥିବା ଦୁଇ ପଡୋଶୀ ଦେଶ ମିଆଁମାର ଓ ବାଂଲାଦେଶର ଆତଙ୍କୀ ସଂଗଠନର ଶୀର୍ଷ ଆତଙ୍କୀଙ୍କ ସହ ଯୋଗାଯୋଗରେ ଥିଲା । ଏହି ସନ୍ଦିଗ୍ଧ ସହ ତାର କିଛି ସହଯୋଗୀ ହିଂସାରେ ସାମିଲ ଥିଲେ । ସେମାନେ ବିଦେଶୀ ଆତଙ୍କୀ ସଂଗଠନର ସହାୟତାରେ ମଣିପୁରରେ ହିଂସା ଜାରି ରଖିବାକୁ ଷଡଯନ୍ତ୍ର କରୁଥିଲେ ।