ନୂଆଦିଲ୍ଲୀ:ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଚୁକ୍ତିବଦ୍ଧ ହେଲା ଉତ୍ତର-ପୂର୍ବ ରାଜ୍ୟ ମଣିପୁରର ଅନ୍ୟତମ ପୁରାତନ ଉଗ୍ରବାଦୀ ସଂଗଠନ ସଂଯୁକ୍ତ ଜାତୀୟ ମୁକ୍ତି ମୋର୍ଚ୍ଚା ବା United National Liberation Front (UNLF) । ଆଜି ଏହି ପୁରାତନ ସଶସ୍ତ୍ର ବିଚ୍ଛିନ୍ନତା ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ଶାନ୍ତିଚୁକ୍ତି ସ୍ବାକ୍ଷରିତ ହୋଇଛି । ଦିଲ୍ଲୀରେ ଏହି ଶାନ୍ତିଚୁକ୍ତି ସ୍ବାକ୍ଷରିତ ହେବା ପରେ ମଣିପୁରେ ଏହାର ସଦସ୍ୟମାନେ ଅସ୍ତ୍ର ସମର୍ପଣ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଶାନ୍ତିଚୁକ୍ତି ସମ୍ପର୍କରେ ଏକାଧିକ ଫଟୋ ଓ ଭିଡିଓ ଟ୍ବିଟ କରିଛନ୍ତି ।
ସୂଚନା ଅନୁସାରେ, ଆଜି ରାଜଧାନୀ ଦିଲ୍ଲୀରେ ଏହି ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଭାରତ ସରକାରଙ୍କ ମଧ୍ୟରେ ଏହି ଶାନ୍ତିଚୁକ୍ତି ସ୍ବାକ୍ଷରିତ ହୋଇଛି । କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଭାରତ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ଚୁକ୍ତି ପ୍ରକ୍ରିୟା ସମ୍ପର୍କରେ ଟ୍ବିଟ କରି ଶାହ କହିଛନ୍ତି, ‘‘ଏକ ବଡ ମାଇଲଖୁଣ୍ଟ ସଫଳତା । ଉତ୍ତର-ପୂର୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଅକ୍ଳାନ୍ତ ପରିଶ୍ରମର ଧାରାରେ ଏହା ଆଉ ଏକ ଫର୍ଦ୍ଦ ଯୋଡିଛି । ମଣିପୁରର ପୁରାତନ ଉପତ୍ୟାକା ଉଗ୍ରବାଦୀ ଗୋଷ୍ଠୀ UNLF ଆଜି ମୁଖ୍ୟସ୍ରୋତରେ ସାମିଲ ହେବା ନେଇ ଶାନ୍ତିଚୁକ୍ତିରେ ଚୁକ୍ତିବଦ୍ଧ ହୋଇଛି । ଆମେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ଓ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସ୍ବାଗତ କରୁଛୁ । ଶାନ୍ତି ଓ ପ୍ରଗତିର ଧାରାରେ ସେମାନଙ୍କର ନୂତନ ଯାତ୍ରାକୁ ଶୁଭେଚ୍ଛା ।’’
UNLF ମଣିପୁର ଓ ଉତ୍ତର-ପୂର୍ବରେ ସକ୍ରିୟ ଥିବା ପୁରାତନ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ମଧ୍ୟରୁ ଅନ୍ୟତମ । ଏହା 1964ରେ ପ୍ରତିଷ୍ଠା ହୋଇଥିଲା । ପ୍ରାୟ 6 ଦଶନ୍ଧିରୁ ଅଧିକ ସମୟ ଧରି ଏହି ସଂଗଠନ ଉତ୍ତର-ପୂର୍ବ ଓ ବିଶେଷ ଭାବେ ମଣିପୁରରେ ସକ୍ରିୟ ରହିଥିଲା । 2014ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଉତ୍ତର-ପୂର୍ବରେ ବିଚ୍ଛିନ୍ନତାବାଦ ସମାପ୍ତ କରିବା ପାଇଁ ସେମାନଙ୍କ ସହ ଶାନ୍ତିଚୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ଉତ୍ତର-ପୂର୍ବର ଏକାଧିକ ରାଜ୍ୟରେ ସକ୍ରିୟ ଥିବା ଏକାଧିକ ଛୋଟ ବଡ ଉଗ୍ରବାଦୀ ସଂଗଠନ ଏହି ପ୍ରକ୍ରିୟାରେ ଚୁକ୍ତିବଦ୍ଧ ହୋଇସାରିଛନ୍ତି । ଆଜି ଏହି କ୍ରମରେ 6 ଦଶନ୍ଧି ପୁରାତନ ଉଗ୍ରବାଦୀ ସଂଗଠନ UNLF ମଧ୍ଯ ମୁଖ୍ୟସ୍ରୋତକୁ ଫେରିବା ପାଇଁ ଚୁକ୍ତିବଦ୍ଧ ହୋଇଛି ।