ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ବୀରେନ ସିଂ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେ ରେସକ୍ୟୁ ଅପରେସନରେ ଲାଗିଥିବା ଉଦ୍ଧାରକାରୀ ଟିମ ସହ ଆଲୋଚନା ମଧ୍ୟ କରିଛନ୍ତି । ରାଜ୍ୟ ଇତିହାସରେ ସବୁଠୁ ଦୁଃଖଦ ବୋଲି କହିଛନ୍ତି ବୀରେନ । ବର୍ତ୍ତମାନ ସୁଦ୍ଧା 20 ମୃତଦେହ ଉଦ୍ଧାର ସାରିଲାଣି । ଆଉ କିଛି ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ଟିମ ସହ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି ।
ମୁଖ୍ୟମନ୍ତ୍ରୀ ବୀରେନ କହିଛନ୍ତି, ‘‘ରାଜ୍ୟ ଇତିହାସରେ ସବୁଠୁ ବଡ ଦୁଃଖଦ ଘଟଣା ଘଟିଛି । ଆମେ 20 ସେନା ଯବାନଙ୍କ ସହ 81 ଜଣଙ୍କୁ ହରାଇଛୁ । ଏବେ ମଧ୍ୟ ମାଟି ଅତଡା ତଳେ ପ୍ରାୟ 55 ଜଣ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ମୃତଦେହ ଉଦ୍ଧାର ପାଇଁ ଆଉ 2 ରୁ 3 ଦିନ ଲାଗିପାରେ । ଭାରତୀୟ ସେନା ଓ ଏନଡିଆରଫ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।’’