ଓଡିଶା

odisha

ETV Bharat / bharat

ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ, କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ

ମଣିପୁରରେ ହିଂସା ଥମୁ ନଥିବାରୁ ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ବୀରେନ ସିଂହ । ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ । ଅଧିକ ପଢନ୍ତୁ

ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ

By

Published : Jun 30, 2023, 12:59 PM IST

ଇମ୍ଫାଲ:ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ । ମଣିପୁରରେ ହିଂସା ଥମୁ ନଥିବାରୁ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି । ପୂର୍ବାହ୍ନ ୧ଟା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ଭେଟିବେ । ସେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ଦିନକୁ ଦିନ ହିଂସା ଉଗ୍ର ହେଉଥିବା ବେଳେ ଶାନ୍ତି ଫେରାଇ ଆଣିବାରେ ବିଫଳତା ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି ।

ମେ' ୩ରେ ମଣିପୁରରେ ହିଂସାର ସୂତ୍ରପାତ ହୋଇଥିଲା । ପ୍ରାୟ ଦୁଇ ମାସ ହେଲାଣି ଜଳୁଛି ମଣିପୁର । ସଂରକ୍ଷଣକୁ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଉଗ୍ର ରୂପ ନେଇଛି । ରାଜ୍ୟରେ ହିଂସା ନିୟନ୍ତ୍ରଣ ପାଇଁ ରାଜ୍ୟ ଓ କେନ୍ଦ୍ରର ଶତ ଚେଷ୍ଟା ସତ୍ତ୍ବେ ପରିସ୍ଥିତି ସୁଧୁରନି, ବରଂ ଦିନକୁ ଦିନ ଅଧିକ ସାଂଘାତିକ ହେବାରେ ଲାଗିଛି । ହିଂସାକାଣ୍ଡରେ ଅଦ୍ୟାବିଧି ୧୦୦ରୁ ଅଧିକ ଜୀବନ ଯାଇଥିବା ବେଳେ ହଜାର ହଜାର ଘର ନିଆଁରେ ପୋଡି ପାଉଁଶ ହୋଇଯାଇଛି । ୫୦ ହଜାରରୁ ଅଧିକ ପ୍ରଭାବିତ ରାଜ୍ୟର ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଇମ୍ଫାଲ ବିଜେପି କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ ! ଟିୟର ଗ୍ୟାସ ମାରିଲା ପୋଲିସ, ବ୍ୟାପକ ଫୋର୍ସ ମୁତୟନ

ଆନ୍ଦୋଳନକାରୀମାନେ ରାଜ୍ୟର ନେତା ମନ୍ତ୍ରୀଙ୍କ ମଧ୍ୟ ଛାଡୁନାହାନ୍ତି । ବିଭିନ୍ନ ରାଜନେତାଙ୍କ ଘରେ ନିଆଁ ଲଗାଇବା ସହ ବ୍ୟାପକ ଭଙ୍ଗାରୁଜା କରୁଛନ୍ତି । ଗୁରୁବାର ରାତିରେ ଉତ୍ୟକ୍ତ ଭିଡ ଇମ୍ଫାଲରେ ଥିବା ବିଜେପି କାର୍ଯ୍ୟାଳୟ ଘେରାଉ ଓ ଆକ୍ରମଣ ଉଦ୍ୟମ କରିଥିଲେ । ପୋଲିସ ଲୁହାବୁହା ଗ୍ୟାସ ପ୍ରୟୋଗ କରି ସମସ୍ତଙ୍କୁ ଘଉଡାଇଥିଲା ।

ହିଂସାଗ୍ରସ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସରକାର ଏକ ଶାନ୍ତି କମିଟି ମଧ୍ୟ ଗଠନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ, ବିଭିନ୍ନ ରାଜନୈତିକ ଦଳର ସଦସ୍ୟ, ପୂର୍ବତନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍, ସାମାଜିକ କର୍ମୀ ଏବଂ ବିଭିନ୍ନ ଧାର୍ମିକ ସଂଗଠନର ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ହିଂସା ରୋକିବାକୁ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ସର୍ବଦଳୀୟ ବୈଠକ ଡକାଯାଇ ସମସ୍ତ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ଏହାସହିତ ରାଜ୍ୟରେ ସେନା, ପାରାଫୋର୍ସ, ରାପିଡ ଆକ୍ସନ ଫୋର୍ସ ସମେତ ପୋଲିସ ବଳ ମୁତୟନ କରାଯାଇଛି । ଦୀର୍ଘ ଦିନ ହେଲାଣି ଇଣ୍ଟରନେଟା ସେବା ବନ୍ଦ ରଖାଯାଇଛି । ତଥାପି ହିଂସା ଥମିବାର ନାଁ ନେଉନି ।

ABOUT THE AUTHOR

...view details