ଅଗରତାଲା:ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଭାବେ ଆଜି ଶପଥ ନେଲେ ମାଣିକ ସାହା(Manik Saha) । ଅଗରତାଲା ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ଶପଥପାଠ କରାଇଛନ୍ତି । ଫଳରେ ତ୍ରିପୁରାର ଏକାଦଶତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦନ୍ତ ଚିକିତ୍ସକରୁ ରାଜନେତା ବନିଥିବା ମାଣିକ ସାହା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାଣିକ । ଏଥିସହ ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ପେଷାରେ ଜଣେ ଦନ୍ତ ଚିକିତ୍ସକ ଥିବା ମାଣିକ ସାହା ଆସନ୍ତାବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ବୋଲି ଅନୁମାନ କରାଯାଉଛି । କାରଣ ଆସନ୍ତା ବର୍ଷ ଏହି ନର୍ଥଇଷ୍ଟ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳଦ ଦେବଙ୍ଗ ହଠାତ ଇସ୍ତଫା ରାଜନୈତିକ ମହଲରେ ସମସ୍ତଙ୍କୁ ଆଚମ୍ବିତ କରିଥିଲା । ତେବେ ତୃଣମୂଳ କଂଗ୍ରେସ(TMC) ଏହି ରାଜ୍ୟରେ ନିଜର ଶକ୍ତିବୃଦ୍ଧି କରୁଥିବାରୁ ଡକ୍ଟର ସାହାଙ୍କ ନେତୃତ୍ବରେ ଦଳ ଏଠାରେ ପୁଣି ଆଗାମୀ ବିଧାନସଭା ନିର୍ବାଚନ ଜିତିବାକୁ ଗୋଟିଚାଳନା କରିଥିବା ଚର୍ଚ୍ଚା ହେଉଛି ।