ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାଲ ଦସ୍ତଖତ ଥିବା ଫେକ୍ ଆପଏଣ୍ଟମେଣ୍ଟ ଲେଟର୍ ଦେଖାଇ ବିବାହ କରିବା ଯୁବକଙ୍କୁ ମହଙ୍ଗା ପଡିଛି । ଅଲୱରରୁ ଗିରଫ ହୋଇଛି ଅଭିଯୁକ୍ତ ଯୁବକ । ଅଭିଯୁକ୍ତ ଜଣକ ମହାରାଷ୍ଟ୍ରର 31 ବର୍ଷୀୟ ଅମିତ କପୁର ବୋଲି ଜଣାପଡିଛି ।
2018ରେ ଜଣେ ଝିଅ ସହ ଅମିତର ଦେଖାସାକ୍ଷାତ ହୋଇଥିଲା । ଏହାପରେ ଝିଅର ପରିବାର ସହ ଭଲରେ ମିଶିଯାଇଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ପିଏମଓରେ ଚାକିରୀ କରୁଥିବା କହିଥିଲେ ।
କେବଳ ଏତିକି ନୁହେଁ ନିଜର ମିଛକୁ ପ୍ରମାଣିତ କରିବା ପାଇଁ ଝିଅର ପରିବାରକୁ ଏକ ଫେକ୍ ଆପଏଣ୍ଟମେଣ୍ଟ ଲେଟର୍ ଦେଖାଇ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦସ୍ତଖତ ଥିବା ଦାବି କରିଥିଲେ । ଝିଅର ପରିବାର ଲୋକେ ଅମିତ କଥାରେ ବିଶ୍ବାସ କରିଯାଇଥିଲେ ଓ ପରବର୍ତ୍ତି ସମୟରେ ଦୁହିଁଙ୍କ ବିବାହ ମଧ୍ୟ ସମ୍ପନ୍ନ ହୋଇଯାଇଥିଲା ।
କିଛି ଦିନ ପରେ ଏହା ଜାଲ ଆପଏଣ୍ଟମେଣ୍ଟ ଲେଟର ହୋଇଥିବା ଜାଣିବା ପରେ କୋତୱାଲି ଥାନାରେ ଅଭିଯୋଗ କରିଥିଲେ ଝିଅର ପରିବାର । ଏହାସହ ପରିବାର ଲୋକେ ପିଏମଓକୁ ଏକ ଚିଠି ଲେଖି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।
ମେ 8ରେ ପିଏମଓର ଉପନିର୍ଦେଶକ ରାଜସ୍ଥାନ ଡିଜିପିଙ୍କୁ ଏକ ଚିଠି ଲେଖି ଅଭିଯୁକ୍ତ ଜଣକ ଫେକ୍ ଆପଏଣ୍ଟମେଣ୍ଟ ଲେଟରରେ ପ୍ରଧାନମନ୍ତ୍ରୀଙ୍କ ଜାଲ ହସ୍ତାକ୍ଷର ଥିବା ଦର୍ଶାଇଥିଲେ । ଏହି ଘଟଣାରେ ସିବିଆଇ ଦ୍ବାରା ଯାଞ୍ଚ କରାଯାଇଥିଲା । ପରେ ପୋଲିସ ଅଭିଯୁକ୍ତ ଅମିତ କପୁରକୁ ଅଲୱାରରୁ ଗିରଫ କରିଥିଲା ଏବଂ ତାକୁ କୋର୍ଟରେ ହାଜର କରାଯାଇଛି ।