ଭୋପାଲ: ମଧ୍ୟ ପ୍ରଦେଶର ରେଓ୍ବା ଜିଲ୍ଲାରୁ ସାମ୍ନାକୁ ଆସିଛି ପୁଣି ଏକ ଅମାନବୀୟ ନିର୍ଯାତନାର ଭିଡିଓ । ସ୍ଥାନୀୟ ଜଣେ ସରପଞ୍ଚ ଜଣେ ଯୁବକଙ୍କୁ ହାତ ବାନ୍ଧି ଉଲଗ୍ନ କରି ନିର୍ଯାତନା ଦେଇଛନ୍ତି । ଘଟଣାଟି 2021 ମସିହାର ହୋଇଥିବା ବେଳେ ଏବେ ଭାଇରାଲ ହୋଇଛି । ଘଟଣା ଲୋକଲୋଚନକୁ ଆସିବା ପରେ ପୋଲିସ ସମ୍ପୃକ୍ତ ସରପଞ୍ଚଙ୍କ ସମେତ ମୋଟ 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି(ଶନିବାର) ଭିଡିଓ ଭାଇରାଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ସ୍ଥାନୀୟ ଏସପି କହିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଆଉ ଜଣେ ଯୁବକଙ୍କୁ ହାତ ବନ୍ଧି ଅଧା ଉଲଗ୍ନ କରି ନିସ୍ତୁକ ପଟୁଛି । ଏହି ଅଭିଯୁକ୍ତଜଣଙ୍କ ସ୍ଥାନୀୟ ହନୁମାନ ଥାନା ଅଞ୍ଚଳର ପିପାରହି ପଞ୍ଚାୟତର ସରପଞ୍ଚ ଜହୌର ସିଂ ଭାବେ ଚିହ୍ନଟ ହୋଇଛନ୍ତି । ନିର୍ଯାତନାର ଶିକାର ହୋଇଥିବା ଯୁବକ ମଧ୍ୟ ସ୍ଥାନୀୟ ଅଞ୍ଚଳର । କୌଣସି ବିବାଦ କାରଣରୁ ଅଭିଯୁକ୍ତ ସରପଞ୍ଚ ପୀଡ଼ିତଙ୍କୁ ନିଜ ଘରକୁ ଡାକି ସହଯୋଗୀଙ୍କ ସହ ହାତ ବାନ୍ଧି ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଥିଲେ । ଅନ୍ୟ ଜଣେ ସହଯୋଗୀ ଏହି ଭିଡିଓ ଉତ୍ତୋଳନ କରୁଥିଲେ । ହେଲେ ସେତେବେଳେ ଥାନାରେ କୌଣସି ଅଭିଯୋଗ କରିନଥିଲେ ପୀଡିତ ।
ସ୍ଥାନୀୟ ଏସପି ବିବେକ ସିଂ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ଘଟଣାଟି 2 ବର୍ଷ ତଳର (2021 ମସିହାର)। ହେଲେ ସେତେବେଳେ ଥାନାରେ କୌଣସି ଅଭିଯୋଗ ହୋଇନଥିଲା । ହେଲେ ଏବେ ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୀଡିତଙ୍କୁ ଚିହ୍ନଟ କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । କୌଣସି ପୂର୍ବ ଶତ୍ରୁତାରୁ ଅଭିଯୁକ୍ତଜଣଙ୍କ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ଜହୌର ସିଂ ସହ ତାର ଦୁଇ ସହଯୋଗୀଙ୍କୁ ମିଶାଇ ମୋଟ 3 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଏକାଧିକ ଧାରା ସହ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପ୍ରଯୁକ୍ତିବିଦ୍ୟା ଅଧିନିୟମରେ ମାମଲା ରୁଜୁ କରାଯାଇଛି ।