କୋଲକାତା:ପଶ୍ଚିମବଙ୍ଗ 24 ପ୍ରଗଣା ଜିଲ୍ଲାର ମାଧ୍ୟାମଗ୍ରାମରେ ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ଘଟଣାର ପୁନରାବୃତ୍ତି । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ପ୍ୟାକେଟରେ ବାନ୍ଧି କେନାଲରେ ଫିଙ୍ଗି ଦେଇଥିବା ପରି ଜଘନ୍ୟ ଘଟଣା ସମ୍ନାକୁ ଆସିଛି । ଉତ୍ତର 24-ପ୍ରଗଣା ମାଧ୍ୟମଗ୍ରାମର ଏରିଆର ଉତ୍ତର ଜୋଜ୍ରା ଗ୍ରାମରେ ଥିବା ଏକ କେନାଲରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହର ଅବଶେଷ ଉଦ୍ଧାର ହୋଇଛି । ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ସାଇରା ବାନୁ ଭାବେ ଚିହ୍ନଟ ହୋଇଛନ୍ତି । ପାରିବାରିକ କଳହ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରେ ପୋଲିସ ଜଣିବାକୁ ପାଇଛି ।
ସ୍ଥାନୀୟ ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ହେଉଛି 55 ବର୍ଷୀୟ ନରୁଦ୍ଦିନ ମଣ୍ଡଳ । ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ନରୁଦ୍ଦିନ ନିଜେ ଜୀବନ ହାରିବାକୁ ମଧ୍ୟ ଉଦ୍ୟମ କରିଥିଲା । ହେଲେ ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସେଠାରେ ଚିକିତ୍ସାଧୀନ ରହିଛି । ପୋଲିସ ତାକୁ ସେଠାରୁ ହେପାଜତକୁ ନେବ । ଗତ କିଛି ଦିନ ତଳେ ଅଭିଯୁକ୍ତ ନରୁଦ୍ଦିନ ନିଜେ ତାର ସ୍ତ୍ରୀ ସାଇରା ବୋନୋ ନିଖୋଜ ହୋଇଯାଇଥିବା ନେଇ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଥିଲା । ପାରିପାର୍ଶ୍ବିକ ଘଟଣାକ୍ରମକୁ ଦେଖି ପୋଲିସ ତାକୁ ବାରମ୍ବାର ଜେରା କରିବା ପରେ ସେ ଧରା ପଡିଯିବା ଭୟରେ ଜୀବନ ହାରିବାକୁ ଉଦ୍ୟମ କରିଥିଲା । ହେଲେ କୌଣସି ପ୍ରକାର ତାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେ ସତ ସ୍ବୀକାର କରିଛି ।